ଶୋଭାଯାତ୍ରା ସହ ଉଦଯାପିତ ହେଲା ‘ସହଯୋଗ’ ଓ ‘ବିଶ୍ୱ ଯୁବକ କେନ୍ଦ୍ର’ର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଲିଙ୍ଗଗତ ନ୍ୟାୟ ଅଭିଯାନ

ଛତାବର/ଜଟଣୀ୧୧/୦୩/୨୦୨୬ (ଓଡ଼ିଶା ସମାଚାର)-ସ୍ୱେଚ୍ଛାସେବୀ ସଂଗଠନ ‘ସହଯୋଗ’ ଏବଂ ନୂଆଦିଲ୍ଲୀର ‘ବିଶ୍ୱ ଯୁବକ କେନ୍ଦ୍ର’ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ସପ୍ତାହବ୍ୟାପୀ “ଅଧିକାର, ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନ” ଅଭିଯାନ ସଫଳତାର ସହ ଉଦଯାପିତ ହୋଇଯାଇଛି। ଛତାବରସ୍ଥିତ ବାଉରୀବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ସଚେତନତା ଶୋଭାଯାତ୍ରା ଓ ସଭା ମାଧ୍ୟମରେ ସମାପ୍ତ ହୋଇଛି।

ଏହି ସମାପନୀ ଉତ୍ସବରେ ବାଉରୀବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ମୋହନ ପରିଡ଼ା ସଭାପତିତ୍ୱ କରିଥିଲେ। ସେ ନିଜ ଅଭିଭାଷଣରେ ଶିକ୍ଷାନୁଷ୍ଠାନ ସ୍ତରରୁ ଲିଙ୍ଗଗତ ସମାନତା ରକ୍ଷା କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ନ୍ୟାୟ ପ୍ରତି ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରୁ ବାହାରିଥିବା ଏକ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ “ଶିକ୍ଷିତ ଝିଅ, ଉନ୍ନତ ଓଡ଼ିଶା” ଭଳି ସ୍ଲୋଗାନ ଦେଇ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ।

‘ସହଯୋଗ’ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ  କହିଥିଲେ ଯେ, ଗ୍ରାମାଞ୍ଚଳ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗିଭ ଟୁ ଗେନ ବା ଦେଇ ଥିଲେ ପାଇ ସମ୍ପର୍କରେ ସେ ଆଲୋଚନା କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀମତୀ ସୋନାଲୀ ଓଝା ଏବଂ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ’ ର ସମ୍ପାଦିକା ଶ୍ରୀମତୀ ସୋଲମୀ ସାହୁ ଯୋଗଦେଇ ମହିଳା ସଶକ୍ତିକରଣ ଓ ଆଇନଗତ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ ସମାଜସେବୀ ବିକ୍ରମ ସ୍ୱାଇଁ ଯୁବପିଢ଼ିଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନବୋଧ ବୃଦ୍ଧି ଉପରେ ଜୋର ଦେଇଥିବା ବେଳେ ଅଧ୍ୟାପିକା ତୃପ୍ତି ପଟ୍ଟନାୟକ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଆବଶ୍ୟକତା ବିଷୟରେ ବୁଝାଇଥିଲେ।

କାର୍ଯ୍ୟକ୍ରମ ଶେଷରେ ପୋଷ୍ଟର ଏବଂ ସ୍ଲୋଗାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ଜଣେ ଛାତ୍ର ପ୍ରତିନିଧି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *