ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ
ନିଶ୍ଚିନ୍ତକୋଇଲି ୦୯/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ଓଡିଶା ସରକାରଙ୍କ ପରିବେଶ ଶିକ୍ଷାକେନ୍ଦ୍ର – ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରବର୍ତ୍ତନାକ୍ରମେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଣୀନଗର ନତକାଇସ୍ଥ ବଲ୍ଲଭୀ ଦେବୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସବୁଜ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାକ୍ରମେ ପ୍ରାକୃତିକ ପରିବେଶର ସୁରକ୍ଷା ଓ ପରିଚ୍ଛନ୍ନତା, ବର୍ଯ୍ୟବସ୍ତୁ ହ୍ରାସ ସହ ପୁନଃ ବ୍ୟବହାର, ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ବୃକ୍ଷରୋପଣ ସହ ଜଳ ଓ ଶକ୍ତି ସଂରକ୍ଷଣ ସହ ସବୁଜ ଜୀବନ ଶୈଳୀ ଆପଣାଇ ପର୍ଯ୍ୟାବରଣର ସୁରକ୍ଷା ନିମିତ ବ୍ରତୀ ହେବାକୁ ଶପଥ ଗ୍ରହଣ କରାଯାଇଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ନିଶ୍ଚିନ୍ତକୋଇଲି ତହସିଲଦାର ଦମୟନ୍ତୀ ସାହୁ ଉଦ୍ଘାଟନ କରି ଧରିତ୍ରୀର ସୁରକ୍ଷା ନିମିତ୍ତ ଆବାଳ ବୃଦ୍ଧ ବନିତା ପ୍ରଚେଷ୍ଟା ଜାରୀ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଅଧ୍ୟାପକ ସୂର୍ଯ୍ୟମଣୀ ସ୍ୱାଇଁଙ୍କ ତତ୍ୱାବଧାନକ୍ରମେ କାର୍ଯ୍ୟକ୍ରମରେ ଅତିଥି ଭାବେ +୨ର ଅଧ୍ୟକ୍ଷା ନିରୁପମା ସ୍ୱାଇଁ, ଅଧ୍ୟାପିକା ଡ. ଜୟନ୍ତୀ ସାହୁ, ପ୍ରଭାତୀ ଭୂୟାଁ, ସୁପ୍ରଭା ଜେନା, କ୍ଷିତିଶ ଭୂୟାଁ, ଶୁଭଶ୍ରୀ ନାୟକ, ଦେବଯାନୀ ରାଉତ, ସୁଚୀସ୍ମିତା ପ୍ରଧାନ, ଉର୍ବଶୀ ସାହୁ, ଧ୍ୟାନରଂଜନ ବେହେରା, କପିଳେନ୍ଦ୍ର ରାଉତ ପ୍ରମୁଖ ଯୋଗଦାନ କରି ଉକ୍ତ ପରିବେଶ ସଚେତନତା କାର୍ଯ୍ୟକ୍ରମର ସମୟୋପଯୋଗୀ ଜରୁରୀ ଆବଶ୍ୟକତା ସମ୍ବନ୍ଧରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ +୩ ମହାବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ରହି ଶପଥ ଗ୍ରହଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
