ସ୍କୁଲ ବନ୍ଦ ପରେ ପାଠ ପଢିବାକୁ ବିପଦ ପୂର୍ଣ୍ଣ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ
ନିରାକାରପୁର, ୩/୭/୨୦୨୪ (ଓଡ଼ିଶା ସମାଚାର)- ସରକାର ୨୦ ଛାତ୍ରଛାତ୍ରୀ ଉପସ୍ଥାନ ନ ଥିବା ବିଦ୍ୟାଳୟ ଗୁଡ଼ିକୁ କିଛି ବର୍ଷ ହେବ ବନ୍ଦ କରି ପାଖ ବିଦ୍ୟାଳୟ ସହିତ ମିଶ୍ରଣ କରି ଦେଇଛନ୍ତି।ଫଳରେ କୁନି ଛାତ୍ରଛାତ୍ରୀ ୪/୫ କିଲୋମିଟର ରାସ୍ତା ବିପଦପୂର୍ଣ୍ଣ ଭାବେ ଯାତ୍ରା କରି ଅନ୍ୟ ମିଶ୍ରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛି। ଏହି ବନ୍ଦ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ କିଛି ବିଦ୍ୟାଳୟ ଖୋଲିବା ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିବା ସହିତ ନିରାପଦ ପାଠ ପଢ଼ିବା ପାଇଁ ସ୍କୁଲ ଗୁଡ଼ିକ ଖୋଲିବା ବାରମ୍ବାର ଦାବି ହେଉଥିଲେ ବି ତାହା ଫାଇଲ୍ ତଳେ ଚାପି ହୋଇ ରହିଛି। ବର୍ତମାନ ବନ୍ଦ ବିଦ୍ୟାଳୟ କୁ ପୁନର୍ବାର ଖୋଲିବା ପାଇଁ ସରକାରଙ୍କ ତରଫରୁ ବିଚାର କରାଯାଉଥିବାରୁ ନିହାତି ଖୋଲିବାର ଆବଶ୍ୟକତା ଥିବା ବିଦ୍ୟାଳୟ ଗୁଡ଼ିକ ଖୋଲିବାର ଆଶା ଦେଖାଦେଇଛି। ଟାଙ୍ଗୀ ବ୍ଲକ ର ବଘେଇପୁଟ ଉପ୍ରା ବିଦ୍ୟାଳୟ, ମଧୁବନ ଉପ୍ରା ବିଦ୍ୟାଳୟ, ସିଙ୍ଗପୁର, ଆସେଲି, ଆରେଡି, ଗୋବର୍ଦ୍ଧନପୁର କଲୋନୀ, ଝାଟି ନୂଆଗାଁ କଲୋନୀ ଓ ପଦ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଭଳି ୮ ଟି ବିଦ୍ୟାଳୟକୁ ୨୦ ରୁ କମ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବନ୍ଦ କରି ନିକଟ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। କୁନି ଛାତ୍ରଛାତ୍ରୀ ମାନେ ଅତି ବିପଦପୂର୍ଣ୍ଣ ଭାବେ କିଛି ସ୍ଥାନରେ ଯାତ୍ରା କରି ପାଠ ପଢିବାକୁ ଯାଉଥିବାବେଳେ ଅତି ଆବଶ୍ୟକ ମନେ କରାଯାଉଥିବା କିଛି ବିଦ୍ୟାଳୟକୁ ଖୋଲିବା ପାଇଁ ଗ୍ରାମବାସୀ ମାନେ ଦାବି କରି ଚାଲିଛନ୍ତି। ଗୋଟିଏ ଗୋଟିଏ ବିଦ୍ୟାଳୟ ଖୋଲିଲେ ଅତି କମରେ ଦୁଇଜଣ ଶିକ୍ଷକ ନିଯୁକ୍ତି ହେବା ସହିତ ଅନ୍ୟାନ୍ୟ ଖର୍ଚ୍ଚ କାଟ କରିବା ଉଦ୍ଦେଶ୍ୟରେ ବିଭାଗ ଏ ସବୁ ପଦକ୍ଷେପ ବିଗତ ଦିନରେ ନେଇଥିଲେ। କିନ୍ତୁ ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଇ ପୁନର୍ବାର ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଚାଲୁ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ବ୍ଲକ ଅଧୀନରେ ଥିବା
ସରପାରୀ ପଞ୍ଚାୟତ ବଘେଇପୁଟ ଗ୍ରାମରେ ଥିବା ଉପ୍ରା ବିଦ୍ୟାଳୟକୁ ସରପାରୀ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିବାବେଳେ ଦୀର୍ଘ ବର୍ଷ ହେବ ଛାତ୍ରଛାତ୍ରୀ ୪ କିଲୋମିଟର ବାଟ ସାଇକେଲ ଓ ଅଟୋ ରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରି ଅଧ୍ୟୟନ କରୁଛନ୍ତି। ବିଗତ ଦିନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସହିତ ପୁନର୍ବାର ବିଦ୍ୟାଳୟ ଖୋଳିବାକୁ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବି ହୋଇ ଆସୁଅଛି। ସେହିପରି ଲେଣ୍ଡୁ ପଞ୍ଚାୟତ ଆରେଡି ସ୍କୁଲ ସନଗୋବିନ୍ଦପୂର୍ ସ୍କୁଲ ସହିତ ଓ ଅସେଲି ସ୍କୁଲ କୁ ଲଲିତାପାଟପୁର ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଏହି ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ନିରାକାରପୁର କଦୁଆଘଟ ଆରଡି ରାସ୍ତା ଦେଇ ଆସୁଥିବାବେଳେ ଦୃତ୍ ଗତିରେ ଯାଉଥିବା ବିଭିନ୍ନ ଯାନବାହାନ ଏମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ବିଭାଗୀୟ ଅଧିକାରୀ ମାନେ ଏସବୁକୁ ଦୃଷ୍ଟିରେ ରଖି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଲେ ପୁନର୍ବାର ଏହି ବିଦ୍ୟାଳୟ ଗୁଡ଼ିକ ଖୋଲଜାଇପାରିବ ଓ ନିରାପଦରେ କୁନି ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରିପାରିବେ ବୋଲି ଆଶା କରିଛନ୍ତି ଗ୍ରାମବାସୀ।