- ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା
- ମାଓ ପ୍ରଭାବିତ ଅଂଚଳ ମାନଙ୍କର ସ୍ଥିତି ଏବଂ ଗ୍ରାମୋଦୟ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା
- ଲଘୁ ଖଣିଜ ପଦାର୍ଥର ବେଆଇନ୍ ଖନନ ଓ ପରିବହନ କୁ ରୋକିବା ପାଇଁ ବ୍ୟାପକ ଚଢଉ ନିର୍ଦ୍ଦେଶ
- ମୁଖ୍ୟ ଶାସନ ସଚିବ ମାନଙ୍କ ୪ର୍ଥ ଜାତୀୟ ସମ୍ମଳନୀ ଓ ୫୯ତମ ଡିଜିପି-ଆଇଜିପି ସମ୍ମିଳନୀ ର ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଗୁରୁତ୍ୱ
ଭୁବନେଶ୍ୱର,୦୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆ ଙ୍କ ସମେତ ରାଜ୍ୟ ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନ ର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି ଏବଂ ଡିଆଇଜିମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବମାନଙ୍କ ୪ର୍ଥ ଜାତୀୟ ସମ୍ମିଳନୀ, ଗତ ନଭେମ୍ବର-ଡିସେମ୍ବର ରେ ଭୁବନେଶ୍ୱର ରେ ଅନୁଷ୍ଠିତ ତିନିଦିନିଆ ୫୯ତମ ଡିଜିପି-ଆଇଜିପି ସମ୍ମିଳନୀ ରେ ନିଆଯାଇଥିବା ନିଷ୍ପତ୍ତି ର ଜିଲ୍ଲା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠିତ ଡିଡିପି-ଆଇଜିପି ସମ୍ମିଳନୀରେ ପ୍ରସ୍ତାବିତ ୧୦୮ଟି ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।
ଏଥି ସହିତ ବିକଶିତ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ, ଅର୍ଥନୈତିକ ସର୍ଭେ -୨୦୨୪-୨୫ ବିବରଣୀ,କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ତଥା ରାଜ୍ୟର ସମୃଦ୍ଧି ପାଇଁ ପ୍ରଶାସନିକ ବ୍ୟବସ୍ଥା ଓ ସଂସ୍ଥାଗତ ପରିଚାଳନା ନିୟାମକରେ ଆବଶ୍ୟକ କୋହଳ କରାଯିବା( ଡି ରେଗୁଲେସନ ଫର ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍-୨.୦),ଉଦ୍ୟୋଗ, ନିଯୁକ୍ତି ଓ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ମିଶନ କର୍ମଯୋଗୀ ଅଧିନରେ ଆଇ-ଜିଓଟି ପ୍ଲାଟଫର୍ମରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଅଗ୍ରଗତି ସଂପର୍କରେସେ ମଧ୍ୟ ସମୀକ୍ଷା କରିଥିଲେ ।
ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ରାଜ୍ୟରେ ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ।୨୦୨୩ ମସିହାରେ ଭାରତୀୟ ସଂସଦରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଭିଯାନ ପ୍ରଣୟନ କରାଯାଇଛି।୨୦୨୪ ଜୁଲାଇ ୧ରୁ ଏହା କାର୍ଯ୍ୟକାରୀ କରାଯାଇଥିବା ବେଳେ ଓଡ଼ିଶାରେ ଏହାର କାର୍ଯ୍ୟକାରିତା ସ୍ଥିତି ଓ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ଡିଜିପି ଶ୍ରୀ ଖୁରାନିଆ ପ୍ରକାଶ କରିଥିଲେ । ଏଥିପାଇଁ କ୍ରିମିନାଲ ଜଷ୍ଟିସ ସିଷ୍ଟମ ର ସମସ୍ତ ବିଭାଗରେ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା, ନୂତନ ଅପରାଧିକ ଆଇନ୍ ଅନୁଯାୟୀ ଓଡ଼ିଶା ପୁଲିସ୍ ତରଫରୁ ଅପରାଧ ଓ ଅପରାଧିକ ମାମଲା ଟ୍ରାକିଂ ପାଇଁ ସିସିଟିଏନଏସ୍ କାର୍ଯ୍ୟକାରୀ କରାଯାଉଥିବା,ନୂଆ ଆଇନ୍ ର କାର୍ଯ୍ୟକାରିତା ସଂପର୍କିତ ଆବଶ୍ୟକ ମାର୍ଗଦର୍ଶିକା (ଏସ୍ଓପି) ଜାରି କରାଯାଇଥିବା ସେ ଉପସ୍ଥାପନ କରିଥିଲେ।
ରାଜ୍ୟର ସମସ୍ତ ୫୭୯ଟି ଆଂଚଳିକ ଥାନାରେ ନାଗରିକ ସମାଜ, ସ୍ଥାନୀୟ ଓକିଲ ସଂଘର ସଦସ୍ୟ,ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗିତାରେ ଜନସଚେତନତା ଅଭିଯାନ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଥିଲେ। ଏଥିପାଇଁ ଦକ୍ଷ ମାନବ ସମ୍ବଳ ଓ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗରେ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ରାଜ୍ୟସରକାର ବ୍ୟାପକ ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଥିଲେ।ରାଜ୍ୟରେ ୨୦୦୦ ଟ୍ରାଫିକ୍ କର୍ମଚାରୀ ପଦବୀ ସୃଷ୍ଟି ଓ ନାଗରିକ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦ଟି ନୂଆ ସାଇବର ଥାନା ଗଠନ ଓ ବର୍ତ୍ତମାନର ୧୪ଟି ସାଇବର ଥାନାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଥିବା ସଂପର୍କରେ ସେ କହିଥିଲେ।ରାଜ୍ୟରେ କେତେକ ଅଂଚଳରେ ଦେଖାଦେଉଥିବା ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯିବା ଏବଂ ସମ୍ଭାବ୍ୟ ଅନୁପ୍ରବେଶ ରୋକିବା ସଂପର୍କରେ ଆଲୋକପାତ କରାଯାଇଥିଲା। ଏଥିପାଇଁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଓ ବୁଦ୍ଧିମତାର ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଭିନ୍ନ ଜିଲ୍ଲାରେ ମୋବାଇଲ ନେଟ୍ଓ୍ୱାର୍କ ସୁଦୃଢୀକରଣ ଏବଂ ସଡକ ସଂଯୋଗୀକରଣ ସ୍ଥିତି ସମୀକ୍ଷା କରାଯାଇ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏଥି ସହିତ ଗଂଜେଇ ଚୋରା ଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଇତି ମଧ୍ୟରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ ସହିତ ପ୍ରଶାସନ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଥିବା ସେ ପ୍ରକାଶ କରିଥିଲେ । ଏଲଡବ୍ଲୁଇ ପ୍ରଭାବିତ ଗ୍ରାମଗୁଡ଼ିକରେ ଗ୍ରାମୋଦୟ ଯୋଜନା ଅଧୀନରେ ବିଭିନ୍ନ ସରକାରୀ ଯୋଜନାର ଫଳପ୍ରଦ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ରୂପାୟନ ପାଇଁ ଜିଲ୍ଲାପାଳମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେ ସବୁ ଅଂଚଳରେ ଥିବା ଅସଂଯୋଗୀକୃତ ବସତିକୁ ସଡକ ସଂଯୋଗୀକରଣ ସଂପର୍କରେ ଆଲୋକପାତ କରାଯାଇଥିଲା । ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ଗ୍ରାମୀଣ) ଏବଂ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ, ଗୃହ ଓ ନଗର ଉନ୍ନୟନ ବିଭାଗ ତରପରୁ ସହରାଂଚଳ କୈନ୍ଦିକ ବିକାଶ ଉପରେ ଆଲୋକପାତ କରାଯାଇଥିଲା ।
ବୈଠକରେ ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁବ୍ୟାପକ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ପଦାଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ବେଆଇନ୍ ବାଲି ଓ ପଥର ଖାଦାନରେ ଚଢ଼ାଉ କରିବା, ଉତ୍ସସ୍ଥଳରେ ବେଆଇନ ଖଣି ଖନନ ଉପରେ ରୋକ୍ ଲଗାଇବା ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥ୍ସହିତ ଇ-ଟ୍ରାନଜିଟ୍ ପାସ୍ ବିନା,ବେଆଇନ ଭାବେ ଖଣିଜ ପଦାର୍ଥ ପରିବହନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଉପଖଣ୍ଡ ସ୍ତରୀୟ ଟିମ୍ ଏବଂ ରାଜସ୍ୱ, ଖଣି, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲ ସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ । ବାଲି, କଳାପଥର ଆଦିର ନୂତନ ଉତ୍ସ ଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତଥିଲେ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
