କେନ୍ଦ୍ରାପଡ଼ା, ୦୭/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଧମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଧମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଂଚି ଥିଲେ ।
ଗତ ୨ଶହ ୫୮ବର୍ଷ ଧରି ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କାନ୍ତ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ମେଲଣରେ ରାମଲୀଳା ପରିବେଷଣ କରିଥିଲେ ଜଗତସିଂହପୁର ଜିଲାର ଫତେପୁରର ଶ୍ରୀମା’ ନିମସୁନ୍ଦରୀ ରାମାୟଣ ଗୀତିନାଟ୍ୟର ସତ୍ୱାଧିକାରୀ ତପନ କୁମାର ରଣା ଓ ସାଥିମାନେ । ଏହି ଉତ୍ସବରେ ବିଜୟ କିଶୋର ଦାସ, ରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
