କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଂଚୁକ ବ୍ରତ ଉଦଯାପିତ

କେନ୍ଦ୍ରାପଡ଼ା, ୦୭/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପବିତ୍ର ତୁଳସୀକ୍ଷେତ୍ରର ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ବିଜେସ୍ଥଳୀରେ ଅନୁଷ୍ଠିତ ୬ଦିନିଆ ହବିଷ୍ୟାଳୀଙ୍କ ପଂଚୁକବ୍ରତ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗରାପୁର ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ମୁଖ୍ୟଅତିଥି, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ଓ ପୌରାଧ୍ୟକ୍ଷା ସରିତା ସାହୁ ବିଶିଷ୍ଟ ଅତିଥି, ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ଓ ଶ୍ରୀଜୀଉଙ୍କ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମା’ଙ୍କ ଉଦ୍ୟମରେ ତୁଳସୀକ୍ଷେତ୍ରରେ ଦୀର୍ଘ ୭ବର୍ଷ ଧରି ଶାନ୍ତିଶୃଙ୍ଖଳାର ସହିତ ହୋଇ ଆସୁଥିବା ହବିଷ୍ୟାଳୀଙ୍କ ପଂଚୁକବ୍ରତ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ ।

ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ହବିଷ୍ୟାଳୀମାନଙ୍କୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ବେଳେ ପୌର ପରିଷଦ, ଜିଲା ପ୍ରଶାସନ ଓ ଶ୍ରୀଜୀଉଙ୍କ ଦେବୋର ସଂସ୍ଥା ନ୍ୟାସ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିବାରୁ ସମସ୍ତଙ୍କୁ ଆଶ୍ରମ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ଏହି ଅବସରରେ ହବିଷ୍ୟାଳୀ ମା’ମାନଙ୍କୁ ଶାଢୀ ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ବଳଦେବ ସେନାର ସଭାପତି ପପୁନ ସ୍ୱାଇଁଙ୍କୁ ବଳଦେବ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ସେବାୟତ ସଦସ୍ୟ ନୃସିଂହ ଚନ୍ଦ୍ର ପତ୍ରୀ, ଅର୍ଚ୍ଚନା ଗୋଏଙ୍କା, ଶିବ ପ୍ରସାଦ ପରିଡା, ଅମୀୟ ପଣ୍ଡା, ଗୋଲଖ ଦାସ, ନୃସିଂହ ତ୍ରିପାଠୀ, ଦୈା୍ରପଦୀ ରାଉତ, ଶିବାନୀ, ସନ୍ତୋଷ ପଣ୍ଡା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିବାରୁ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *