ପାଟକୁରା,୦୭/୦୩/୨୦୨୬ (ଓଡିଶା ସମାଚାର )ଗରଦପୁର ବ୍ଳକ ଅଧୀନ ସୋଲ ପାଟ ଗ୍ରାମ ପାର୍ଶ୍ଵରେ ଚିତ୍ରୋତ୍ପଳା ନଦୀ କୂଳରେ ଥିବା ପ୍ରାଚୀନ ସନ୍ଥ ମସ୍ତରାମ ମହାପୁରୁଷ ପୀଠର ଆଚାର୍ଯ୍ୟ ବାବାଜୀ ଗୋପୀନାଥ ଦାଶମହାରାଜଙ୍କ ୨୨ ତମ ମହାପ୍ରୟାଣ ଦିବସରେ ଆଜି ଚୈତ୍ର ମାସ କୃଷ୍ଣ ପକ୍ଷ ଚତୃଥୀ ତିଥିରେ ସାଧୁ ମେଳାର ଆୟୋଜନ କରାଯାଇଥିଲା । ଆଜି ପ୍ରତ୍ୟୁଷରୁ ପୀଠରେ ଥିବା ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପୂର୍ବକ ଚନ୍ଦନ ସେବା, ଧୂପ, ଦୀପ ଫୁଲହାର ଲାଗିକରାଯିବା ପରେ ଭୋଗ ଲାଗି କରାଯାଇଥିଲା ।
ପୀଠରେ ନାମ ସଂକୀର୍ତନ ମଧ୍ୟରେ ସାଧୁ ମେଳାର ଆୟୋଜନ ହୋଇଥିଲା । ବିଭିନ୍ନ ଆଶ୍ରମରୁ ଆସିଥିବା ସାଧୁ ମହାରାଜ ମାନେ ପୀଠରେ ଭାଗବତ ପାଠ କରି ଆଚାର୍ଯ୍ୟ ଗୋପୀନାଥ ଦାଶ ମହାରାଜଙ୍କ ଜୀବନୀ ଉପରେ ସ୍ମୃତି ଚାଳନ କରିଥିଲେ । ଅନେକ ବର୍ଷ ମସ୍ତରାମ ପୀଠ ଅବହେଳିତ ହୋଇ ପଡିବାପରେ ଆଚାର୍ଯ୍ୟ ଗୋପୀନାଥ ଦାଶ ମହାରାଜ ପୀଠରେ ଦାଇତ୍ୱ ନିର୍ବାହ କରିବା ପରେ ପୀଠର କିଭଳି ବିକାଶ ହୋଇପାରିଥିଲା ସେସମ୍ପର୍କରେ ସାଧୁମାନେ ଆଲୋଚନା କରିଥିଲେ । ପନ୍ଦୀଆ ବିଦୁରମୁନି ଆଶ୍ରମର ବାବାଜୀ ପରମାନନ୍ଦ ଦାଶ ମହାରାଜ ସାଧୁ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ ।
କେନ୍ଦ୍ରାପଡା ବାୟାବାବା ଟିକିରି ମଠର ବାବାଜୀ ବିଶ୍ୱମ୍ଭରଦାଶ ମହାରାଜ, ହଳଦିଆ ଗଡା ହନୁମାନ ଆଶ୍ରମର ବାବାଜୀ ମିହିରଦାଶ ମହାରାଜ,ପଙ୍କପାଳ ଗୋପାଳଜୀଉ ଆଶ୍ରମର ବାବାଜୀ ତପନ କୁମାର ଦାଶମହାରାଜ, ପଦ୍ମପୁର ଶାରଳା ପୀଠର ବାବାଜୀ ନରୋତମ ଦାଶ ମହାରାଜ, କଳାବୁଦା ଦଧିଚିମୁନୀ ଆଶ୍ରମର ବାବାଜୀ ଗୁଣ୍ଡୁଚି ଦାଶ ମହାରାଜ, ଗୋତ୍ରବିଲ ସାରଳା ଆଶ୍ରମର ବାବାଜୀ ଅଟଳ ଦାଶ ମହାରାଜ,ହରିଦାସପୁର ହରଗୌରୀ ଆଶ୍ରମର ବାବାଜୀ ରବୀନ୍ଦ୍ର ଦାଶ ମହାରାଜ ପ୍ରମୁଖ ଉପସ୍ଥିତ ରହି ଆଶ୍ରମ ଜୀବନରେ ସାଧୁମାନଙ୍କ ଜୀବନୀ ସମାଜ ପାଇଁ ଦର୍ପଣ ସଦୃଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ପ୍ରସନ କୁମାର ନାୟକଙ୍କ ତତ୍ତ୍ୱ।ବଧାନରେ ଆୟୋଜିତ ଆଚାର୍ଯ୍ୟ ଗୋପୀନାଥ ଦାଶ ମହାରାଜଙ୍କ ମହାପ୍ରୟାଣ ଦିବସ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ପୀଠର ପୂଜକ ଆଚାର୍ଯ୍ୟ ଉପେନ୍ଦ୍ର ଦାଶ ଓ଼ ସହଯୋଗୀ ପୂଜକ ଫ୍ରଫୁଲ୍ଲ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପେନ୍ଦ୍ର ରାଉତ, ଅନିଲ ବାରିକ, ଶରତ ଚନ୍ଦ୍ର ଦାଶ, ଜୈରାମ ନାୟକ, ଶରତ ମହାରଣା, ସମୀର ଓଝା,ବାଞ୍ଛାନିଧି ମଲ୍ଲ, ଆଲୋକ ବେହେରା, ଶରତ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।
