ସୁନା ବେଶ ହେଲେ ଜୟତଳଙ୍ଗ ଶ୍ରୀ ଶ୍ରୀ ରାଧା ମାଧବ ଜୀଉ

ଗରଦପୁର, ୦୫/୦୩/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଜୟତଳଙ୍ଗ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରାଧା ମାଧବ ଜୀଉ ଦୋଳ ଉତ୍ସବର ଅନ୍ତିମ ଦିବସରେ ସୁନା ବେଶ ହୋଇଛନ୍ତି । ଶ୍ରୀ ଶ୍ରୀ ରାଧା ମାଧବ ଜୀଉ ଆଜି ଗୁରୁବାର ସ୍ଥାନୀୟ ଅଂଚଳର ଶେଷ ଦୋଳ ଉତ୍ସବ ଅବସରରେ ପାଇକା ନଦୀରେ ଜମୁନା ସ୍ନାନ କରିସାରିବା ପରେ ସୁନା ବେଶ ହୋଇଛନ୍ତି । ଜମୁନା ସ୍ନାନ ପରେ ସୁନା ବେଶ ହୋଇ ଫୁଲ ରେ ସଜା ଯାଇଥିବା ଦୋଳ ବିମାନରେ ଉପବିଷ୍ଟ ହୋଇ ସାନ ନୟନପୁର ଠାରେ ଥିବା ମେଲଣ ପଡ଼ିଆରେ ଅନୁଷ୍ଠିତ ଶେଷ ମେଲଣରେ ସାମିଲ ହୋଇ ସୁନା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ ।

ସୁନା ବେଶ ଉପଲକ୍ଷେ ବିମାନକୁ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ବାଜା, ବାଣ , ଘଂଟ ଆଦି ଥାଟ ପଟୁଆରରେ ମେଲଣ ରୁ ଯାଇ ଜୟତଳଙ୍ଗ ବଣୁଆସାହିରେ ପହଂଚିଥିଲେ । ସେଠାରେ ଶ୍ରୀ ଜୀଉଙ୍କୁ ସର ଲବଣୀ ଲାଗି କରାଯାଇଥିଲା । ସେଠାରେ କେତେକ ଶ୍ରଦ୍ଧାଳୁଙ୍କ ଘରେ ଭୋଗ ଲାଗି କରାଯିବା ପରେ ବାଜା, ବାଣ , ଘଂଟ , ଆଲୋକ ଆଦି ଥାଟ ପଟୁଆରରେ ଶୋଭାଯାତ୍ରାରେ ଦେଉଳକୁ ପ୍ରତ୍ୟାବର୍ତନ କରିଥିଲେ । ଗ୍ରାମ ତଥା ପଡ଼ୋସି ଗ୍ରାମର ଯୁବକମାନେ ଶ୍ରୀ ଜୀଉ ଙ୍କୁ ଦୋଳ ବିମାନରେ ଶ୍ରଦ୍ଧାରେ ଆଗ୍ରହ ର ସହିତ କାନ୍ଧେଇବା ଦେଖାଯାଉଥିଲା । ଦେଉଳରେ ଶ୍ରୀ ଜୀଉ ପହଂଚିବା ବେଳକୁ ଶ୍ରୀ ଜୀଉଙ୍କୁ ସୁନା ବେଶ ରେ ଦେଖିବା ପାଇଁ ଗ୍ରାମର ମହିଳା ଓ ପୁରୁଷ ମାନେ ଭିଡ଼ ଜମାଇ ଶ୍ରୀ ଜୀଉଙ୍କୁ ସୁନା ବେଶରେ ଦର୍ଶନ କରିଥିଲେ । ପରେ ପରେ ଶ୍ରୀ ଜୀଉଙ୍କୁ ପଂଚାମୃତ କରାଯାଇ ସିଂହାସନ ବିଜେ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପକ୍ଷରୁ ପ୍ରସାନ ସେବନର ବ୍ୟବସ୍ଥା କରାଯାଇଥିଲା ।

ଏଠାରେ ଉଲେଖଯୋଗ୍ୟ ଯେ ଶ୍ରୀ ଶ୍ରୀ ରାଧାମାଧବ ଜୀଉ ବର୍ଷକରେ ଦୁଇ ଥର ସୁନା ବେଶ ହୋଇଥାନ୍ତି । ପବିତ୍ର କାର୍ତିକ ପୂର୍ଣ୍ଣିମା ଦିନ ବଢ଼ି ଭୋର ସମୟରେ ସୁନା ବେଶ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି ଓ ଦୋଳ ଉତ୍ସବର ଅନ୍ତିମ ଦିବସରେ ଯମୁନା ସ୍ନାନ ପରେ ସୁନା ବେଶ ହୋଇଥାନ୍ତି । ଶ୍ରୀ ଶ୍ରୀ ରାଧା ମାଧବ ଜୀଉ ସୁନା ମୁକୁଟ ,ସୁନା ବଂଶି ଓ ରୂପା ଛତ୍ରୀ ପରିଧାନ କରିଥିବାବେଳେ ମା ଶ୍ରୀ ରାଧା ସୁନା ମୁକୁଟ, ସୁନା ଖଡ଼ୁ , ସୁନା ନାକଚଣା ଆଦି ପରିଧାନ କରିଥିଲେ ।

Leave a Reply

Your email address will not be published. Required fields are marked *