ବିକାଶ ସଂସ୍ଥାର ୪୦ତମ ବାର୍ଷିକ ଉତ୍ସବ ପାଳିତ

ସରକାରଙ୍କ ସଂଫଳତା ବେସରକାରୀ ସଂଗଠନର ସହଯୋଗରେ ହିଁ ସମ୍ଭବ – ମେୟର
ଭୁବନେଶ୍ୱର,୦୪/୦୯/୨୦୨୫ (ଓଡ଼ିଶା ସମାଚାର)- ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ବେସରକାରୀ ସଂଗଠନଗୁଡ଼ିକ ସରକାର କରିପାରୁନ ଥିବା କାର୍ଯ୍ୟକୁ କ୍ଷେତ୍ର ଉପରେ କରି ସରକାରଙ୍କୁ ସମସ୍ତ ପ୍ରକାର ସହାୟତା କରିଥାନ୍ତି ଏବଂ ସରକାରଙ୍କ ସଫଳତା ବେସରକାରୀ ସଂଗଠନର ସହଯୋଗରେ ହିଁ ସମ୍ଭବ ବୋଲି ଭୁବନେଶ୍ୱର ମହାନଗର ନିିଗମର ମେୟର ସୁଲୋଚନା ଦାସ କହିଛନ୍ତି ।

ଗୁରୁବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ବେସରକାରୀ ସଂଗଠନ ‘ବିକାଶ’ର ୪୦ତମ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ, ବର୍ତମାନ ରାଜ୍ୟରେ ଏକ ବଡ଼ ବେସରକାରୀ ସଂଗଠନ ଭାବରେ ବିକାଶ ସଂସ୍ଥା ୪୦ ବର୍ଷ ଧରି କାର୍ଯ୍ୟ କରିବା ଏକ ବଡ଼ ସଫଳତା ଏବଂ ଏହା କୋରାପୁଟ ଓ ମାଲକାନଗିରି ଜିଲା ସମେତ ରାଜ୍ୟର ୧୭ଟି ଜିଲାରେ ଲୋକମାନଙ୍କ ସହିତ ଅଛି ଓ କାମ କରୁଛି । ଲୋକଙ୍କ ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜୀବିକା ଆଦି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସହାୟତା ପ୍ରଦାନ କରୁଛି ବୋଲି କହିଛନ୍ତି । ବର୍ତମାନ ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରୁଥିବା ଗାଡ଼ି ବଜାଉଥିବା ଗୀତକୁ ଏହି ବିକାଶ ସଂସ୍ଥା ସୃଷ୍ଟି କରିଥିଲା ବୋଲି ଶ୍ରୀମତୀ ଦାସ କହିଥିଲେ ।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିକାଶ ସଂସ୍ଥାର ଜନ୍ମଦିନ ବିଶେଷାଙ୍କର ଏକ ସ୍ୱତନ୍ତ୍ର ପୁସ୍ତିକା ‘ସ୍ପନ୍ଦନ’କୁ ଉନ୍ମୋଚନ କରି ସହରୀ ଗୃହହୀନ ଲୋକମାନଙ୍କ ପାଇଁ କୋଠାଘର ଯୋଗାଇବା କ୍ଷେତ୍ରରେ ଏହି ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ସେ ଦୁଇଥର ଭୁବନେଶ୍ୱର ମେୟର ରହିଥିବା ସମୟରେ ଭୁବନେଶ୍ୱର ସହରର ଅସହାୟ, ଯାଯାବର ଏବଂ ଗୃହହୀନ ଲୋକମାନଙ୍କ ପାଇଁ ଆଶ୍ରୟ ଦେବାରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲା । ଆଜି ଏହି ସଂଗଠନ ଓଡ଼ିଶା ବାହାରେ ଏକ ସୁସ୍ଥ ସମାଜ ଏବଂ ସୁସ୍ଥ ପରିବେଶର ବାତାବରଣ ସୃଷ୍ଟି କରିପାରିଛି ବୋଲି ଶ୍ରୀ ଜେନା କହିଥିଲେ ।


ସଂସ୍ଥାର ଉଦଘାଟନୀ ଉତ୍ସବରେ ‘ଫାର୍’ ଅନୁଷ୍ଠାନର ମୁଖ୍ୟ ତଥା ବିଶିଷ୍ଟ ସମାଜସେବୀ ବିଜୟ କୁମାର ବାବୁ କନ୍ଧମାଳ ଜିଲାର ବିଭିନ୍ନ ସଂଗଠନ ସକରାତ୍ମକ ଭୂମିକା ନେଇ ସମାଜର ଦଳିତ, ଅବହେଳିତ, ନିଷ୍ପେଷିତ ଲୋକଙ୍କର ଜୀବନରେ ପରିବର୍ତନ ଆଣିବା କଥା କହିଥିଲେ । ସ୍ମାଇଲ ଫାଉଣ୍ଡେସନର ମୁଖ୍ୟ ସାମୁଏଲ ବେହେରା ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାମାନଙ୍କ ସମସ୍ୟା, ଜୀବନ, ଜୀବିକା ଆଦି ବିଭିନ୍ନ କ୍ଷେତ୍ରରେ ବେସରକାରୀ ସଂଗଠନ ଗୁଡ଼ିକ ହିଁ ବିଗତ ବର୍ଷଗୁଡ଼ିକରେ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ କରାଯାଇ ପାରିଛି ବୋଲି କହିଥିଲେ । ବିକାଶ ସଂଗଠନର ଅଧ୍ୟକ୍ଷ କେ. ହରିହର ରାଓ ସେବା ଏବଂ ମାନବତାବାଦର ବିଶ୍ଲେଷଣ କରି ମହାତ୍ମା ଗାନ୍ଧୀଙ୍କର ଆଦର୍ଶକୁ ନେଇ କାର୍ଯ୍ୟ କରିବା

ଏହି ସଂଗଠନର ଲକ୍ଷ୍ୟ ବୋଲି କହିଥିଲେ । କୌଣସି ପ୍ରକାରର ଆହ୍ୱାନର ସମ୍ମୁଖୀନ ନହେଲେ ବେସରକାରୀ ସଂଗଠନ ଆଗେଇପାରେ ନାହିଁ ଏବଂ ପ୍ରତ୍ୟେକଟି ଛୋଟ ଛୋଟ କାର୍ଯ୍ୟ ସଂଗଠନର ସଫଳତାର ଗୋଟିଏ ଗୋଟିଏ ମାଇଲଖୁଂଟ ବୋଲି କହିଥିଲେ । ବୋର୍ଡ଼ର ଅନ୍ୟତମ ସଦସ୍ୟ ପ୍ରଦୀପ ପଟ୍ଟନାୟକ କହିଥିଲେ ଯେ, ୪୦ ବର୍ଷ ତଳେ ଏହି ସଂସ୍ଥାକୁ ଅଶୋକ ନନ୍ଦ ସୃଷ୍ଟି କରିଥିଲେ ଏବଂ ସେତେବେଳେ ଏକ ବେସରକାରୀ ସଂଗଠନକୁ ଚଳାଇବା ଆହ୍ୱାନପୂର୍ଣ୍ଣ ତଥା ସାମାଜିକ ଆବଶ୍ୟକ ଥିଲା । ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଅତିକ୍ରମ କରି ବିକାଶ ସଂସ୍ଥା ଆଜି ଏକ ଅଗ୍ରଣୀ ସଂସ୍ଥାରେ ପରିଣତ ହେବା ଏକ ଆନନ୍ଦର ବିଷୟ ବୋଲି କହିଥିଲେ ।

ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମୀ ଦିଲ୍ଲୀପ ନାୟକ, ନୃସିଂହ ଚରଣ ପ୍ରଧାନ, ବସୁଦେବ ବେହେରା ଏବଂ ରତିକାନ୍ତ ଭୋଇଙ୍କୁ ‘ସ୍ୱଚ୍ଛ ସବାରୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ସଂସ୍ଥାର ସମ୍ପାଦକ ଆଶୁତୋଷ ହୋତା ଏହି ସଂଗଠନର ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସବୁ କ୍ଷେତ୍ରରେ ସଫଳତା ସହ ସୁନାମ ଅର୍ଜନ କରିଥିବା କଥା କହିଥିଲେ ।

ଉତ୍ସବର ଦ୍ୱିତୀୟ ଅଧିବେଶନରେ ବିକାଶ ସଂସ୍ଥାର ପ୍ରତିଷ୍ଠାତା ସମ୍ପାଦକ ଅଶୋକ ନନ୍ଦ ଦେଶରେ ବେସରକାରୀ ସଂଗଠନର ଇତିହାସ, କ୍ରମବିକାଶ ଏବଂ ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଗ୍ରାମଦ୍ୟୋୟ ଠାରୁ ଆରମ୍ଭ କରି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଶିଳ୍ପ ବିପ୍ଲବ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବେସରକାରୀ ସଂଗଠନଗୁଡ଼ିକ କିଭଳି ଭାବରେ ହସ୍ତଶିଳ୍ପରୁ ବୃହତ୍ ବୈଷୟିକ କୌଶଳରେ ପଦାର୍ପଣ କରିଛନ୍ତି ତାହାର ଏକ ବିସ୍ତୃତ ବିବରଣୀ ଦେଇଥିଲେ । ‘ଆଇନା’ ସଂସ୍ଥାର ମୁଖ୍ୟ ତଥା ବିଶିଷ୍ଟ ସମାଜସେବୀ ସ୍ନେହ ମିଶ୍ର, ଏମଏସଡବ୍ଲୁ ପାଠ୍ୟକ୍ରମ ଏବଂ ଏହି ପାଠ୍ୟକ୍ରମ ପରେ ଛାତ୍ରଛାତ୍ରୀମାନେ ଚାକିରି ଖୋଜିବା ଭଳି ପରିସ୍ଥିତି ଉପୁଜିଥିବା ବିଷୟରେ ସମ୍ପୃକ୍ତ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ‘ଜାଗୃତି’ ସଂସ୍ଥାର ମୁଖ୍ୟ ତଥା ବିଶିଷ୍ଟ ସମାଜସେବୀ ଦୀପକ ରାୟ ବେସରକାରୀ ସଂଗଠନ ଗୁଡ଼ିକର ଆର୍ଥିକ ସମସ୍ୟା, ବିଭିନ୍ନ ଉତ୍ସରୁ ମିଳୁଥିବା ସହାୟତା ଆଦି ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

କୈଳାସ ଚନ୍ଦ୍ର ଦଣ୍ଡପାଟ ବେସରକାରୀ ସଂଗଠନ ଗୁଡ଼ିକ ଯୁବଗୋଷ୍ଠୀଙ୍କୁ ନେତୃତ୍ୱ ଦେବା ଶିକ୍ଷାର ଗୋଟିଏ ଗୋଟିଏ ଉକ୍ରୃଷ୍ଟ କ୍ଷେତ୍ର ବୋଲି କହି ଦେଶସେବା ତଥା ସମାଜର ସବୁଠୁ ତଳଶ୍ରେଣୀର ଲୋକଙ୍କ ସହିତ ମିଶି କାର୍ଯ୍ୟ କରିବାର ପ୍ରେରଣା ଦେଉଥିବା କ୍ଷେତ୍ର ବୋଲି କହିଥିଲେ । ବର୍ତମାନ ଏହି ସଂଗଠନଗୁଡ଼ିକ ସାମାନ୍ୟ ସାମାନ୍ୟ କାରଣରୁ ସୁନାମ ହରାଉଥିବା କହି ଏଭଳି ପରିସ୍ଥିତି ନ ଉପୁଜିବାର ଉପାୟ ମଧ୍ୟ କହିଥିଲେ । ବୋର୍ଡ଼ର ଅନ୍ୟତମ ସଦସ୍ୟ ଦେବାଶିଷ ପଣ୍ଡା ଭୁବନେଶ୍ୱର ମୁ୍ୟନିସିପାଲିଟି ଅତୀତରେ ଏହି ସଂସ୍ଥା କରିଥିବା କିଛି କାର୍ଯ୍ୟର ସୂଚନା ଦେଇ ବେସରକାରୀ ସଂଗଠନ ଗୁଡ଼ିକର ସହଯୋଗ ଯୋଗୁ ଭୁବନେଶ୍ୱର ମହାନଗର ନିଗମ ଆଜି ଦେଶରେ ସୁନାମ ଅର୍ଜନ କରିଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ସଂଗଠନର ବିବେକାନନ୍ଦ ମିଶ୍ର, ପଦ୍ମାଳୟା ଚୌଧୁରୀ, ବିରଜା ଶଙ୍କର ବାରିକ, ବିଭୂପ୍ରସାଦ ଡାହାଣ, ସୁଶାନ୍ତ କୁମାର ବେହେରା, ଅନୁକୁଳ ପାଣିଗ୍ରାହୀ ଓ ପି୍ରୟମ୍ବଦା ବେହେରା ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *