ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ
“ବିକଶିତ ଓଡିଶା୨୦୩୬” ଦୃଷ୍ଟିକୋଣ ଅନୁସାରେ ପିପିପି ମାଧ୍ୟମରେ ସମ୍ଭାବ୍ୟ ସହଯୋଗ ସମ୍ପର୍କରେ ଆଲୋଚନା
ଭୁବନେଶ୍ୱର,୦୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିକଶିତ ଓଡିଶା୨୦୩୬” ଦୃଷ୍ଟିକୋଣ ଅନୁସାରେ ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକରେ ବେସରକାରୀ ନିବେଶକୁ ତ୍ୱରାନ୍ୱିତ ଓ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଅର୍ଥନିଗମ ( ଆଇଏଫସି)ର ଏକ ୬ ଜଣିଆ ପ୍ରତିନିଧିଦଳ ଗତ ଫେବୃଆରୀ୨୬ ଓ୨୭ ତାରିଖରେ ଓଡିଶା ପରିଦର୍ଶନ କରିଥିଲେ। ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ (ଆଇଏଫସି), ବିକାଶଶୀଳ ଦେଶ ଗୁଡ଼ିକରେ ବେସରକାରୀ କ୍ଷେତ୍ରକୁ କେନ୍ଦ୍ରକରି କାର୍ଯ୍ୟ କରୁଥିବା ବିଶ୍ୱର ଏକ ବୃହତ୍ ବିକାଶମୂଳକ ସଂସ୍ଥା।
ପିପିପି (ପବ୍ଲିକ୍–ପ୍ରାଇଭେଟ ପାର୍ଟନରଶିପ୍) କ୍ଷେତ୍ରର ବରିଷ୍ଠ ବିଶେଷଜ୍ଞ ଓ ପରାମର୍ଶଦାତା ମାନଙ୍କୁ ନେଇ ଗଠିତ ଆଇଏଫସିର ଏକ ଦଳ ଫେବୃୟାରୀ ୨୬ତାରିଖରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ।ଏହି ବୈଠକ ଓଡ଼ିଶା ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ବୈଠକରେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ର ସହିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନଙ୍କ ସମେତ ରାଜ୍ୟ ଅର୍ଥ ବିଭାଗର ପିପିପି ସେଲ, ଅର୍ଥ ବିଭାଗର ଅଧିକାରୀମାନେ ଯୋଗଦେଇ ରାଜ୍ୟରେ ଏକ ସୁଦୃଢ଼ ପିପିପି ପ୍ରକଳ୍ପ ବ୍ୟବସ୍ଥା ଗଠନ ପାଇଁ ବିଭିନ୍ନ କ୍ଷେତ୍ର ଭିତ୍ତିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ “ଭିଜନ୨୦୩୬” ରାଜ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କିପରି ବହୁମୁଖୀ ମାନ୍ୟତା ଓ ପରିଚିତି ଦେବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ, ସେଥିପାଇଁ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ସେ ମଧ୍ୟ ନବୀକରଣ ଯୋଗ୍ୟ ଶକ୍ତି, ବିଦ୍ୟୁତସଂଚରଣ, ଲଜିଷ୍ଟିକ୍ସ ଓ ପରିବହନ, ସହର ଭିତ୍ତିଭୂମି ତଥା ଇ-ମୋବିଲିଟି ପରି ପ୍ରାଥମିକତା ପ୍ରାପ୍ତ କ୍ଷେତ୍ର ଗୁଡ଼ିକରେ ବ୍ୟାଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
