ଭୁବନ ୨୬/୦୨/୨୦୨୬ (ଓଡ଼ିଶା ସମାଚାର)- ଭୁବନ ସହରର ଐଶାନ୍ୟ ଦିଗରେ ଗ୍ରାମଦେବତୀ ମା’ କାଲୁଣୀ ଦେବୀ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି । ସୁବ୍ରତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ତିନି ଦିନିଆ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ତାଙ୍କ ପତ୍ନୀ ସୁପ୍ରଭା ସାହୁ କର୍ତ୍ତା ଭାବେ ଯୋଗଦେଇଥିଲେ । ମଙ୍ଗଳବାର ଶୁଭ ଅଙ୍କୁରାରୋପଣ , କଳସ ଶୋଭାଯାତ୍ରା ଓ ଘଟ ସ୍ଥାପନ ପରେ ଶାଳା ଶୋଭନ ମଣ୍ଡଳାଦିକରଣ କରାଯାଇଥିଲା ।
ରାତ୍ର ସମୟରେ ଅଗ୍ନି ସ୍ଥାପନ ଓ ମୁଖ୍ୟ ଦେବୀ ଙ୍କ ପୂଜାନୀତି ଅନୁଷ୍ଠିତ ହୋଇଥିଲା । ବୁଧବାର ସୂର୍ଯ୍ୟ ପୂଜା, ଗୋ ପୂଜନ,ଗୁରୁ ପୂଜନ,ମଣ୍ଡଲାଦି ପୂଜା ଓ ମା ଙ୍କ ଷୋଡଶ ଉପଚାର ପୂଜା , ହବନ ,ଚଣ୍ଡିପୂଜା ଓ ସନ୍ଧ୍ୟାରେ ସ୍ନାନଧି ବିଧି ,ଶୟନ ବିଧି ଅନୁଷ୍ଠିତ ହୋଇଥିଲା । ଗୁରୁବାର ମା’ କାଲୁଣୀ ଠାକୁରାଣୀ ଙ୍କ ନଗର ପରିକ୍ରମା ପରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ମଙ୍ଗଳବାର ଠାରୁ ମା ଙ୍କ ପୀଠରେ ଆରମ୍ଭ ହୋଇଥିବା ଅଷ୍ଟ ପ୍ରହର ଓ ନାମଯଜ୍ଞର ମଧ୍ୟ ପୂର୍ଣ୍ଣାହୂତି ହୋଇଯାଇଛି । ତିନି ଦିନିଆ ମନ୍ଦିର ପ୍ରତିଷ୍ଠା,ବିଗ୍ରହ ସ୍ଥାପନ ଓ ଅଷ୍ଟ ପ୍ରହର ନାମ ଯଜ୍ଞ ରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ମା ଙ୍କ ଆଶିଷ ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁବ୍ରତ ସାହୁ ଙ୍କ ସମେତ ସୋମନାଥ ମହାରଣା ,ପ୍ରମୋଦ ଗୁରୁ,ବିନୋଦ ମହାରଣା,ଦେବେନ୍ଦ୍ର ସାହୁ,କୃଷ୍ଣଚନ୍ଦ୍ର ସାହୁ,ଚିନ୍ମୟ ବେହେରା,ଦିବାକର ବେହେରା,ନରେନ୍ଦ୍ର ବେହେରା,ରମେଶ ଚନ୍ଦ୍ର ଗୁରୁ,ଗୌରାଙ୍ଗ ଗୁରୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ କର୍ମକର୍ତ୍ତା,ଯୁବ ବନ୍ଧୁ,ମାତୃ ମଣ୍ଡଳୀ ଓ କୀର୍ତ୍ତନ ମଣ୍ଡଳୀ ଙ୍କୁ କର୍ତ୍ତା ଶୁଭେନ୍ଦୁ କୁମାର ସାହୁ ଅଭିନନ୍ଦନ ,ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।
