ଜଳ ନିଷ୍କାସନ ସମସ୍ୟା ସମାଧାନ ନହେଵାରୁ ପୁନର୍ବାର ଧାରଣାରେ ବସିଲେ ଆୟତପୁର ସରପଂଚ ରାକେଶ ବେହେରା 

କଟକ ସଦର, ୨୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଏନ୍ ଏଚ୍ ଏ ଆଇ ର ମନୋମୁଖୀ, ଖାମଖିଆଲ ନୀତି ଏବଂ ବୈଷୟିକ ଜ୍ଞାନ କୌଶଳର ଅଭାବରୁ ନିର୍ମାଣଧୀନ ୫୫ ନମ୍ବର ଜାତୀୟ ରାଜପଥ ପାଇଁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଉଦଵୃତ୍ତ ଜଳ ନିଷ୍କାସନ ପାଇଁ ଅନ୍ୟ ଏକ ସଫେଇ ନାଳ ନଖୋଳି ପୂର୍ବରୁ ଥିବା ସଫେଇ କୁ ପୋତି ସଂକୁଚିତ କରିଦେବା ଫଳରେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ହୋଇଛି।

ଯାହା ଫଳରେ କନ୍ଦରପୁର, ଆୟତପୁର ପଞ୍ଚାୟତ ର ଶତାଧିକ ଏକର ଚାଷଜମି ଗତ ଲଘୁଚାପ ବର୍ଷା ଫଳରେ ଜଳାର୍ଣ୍ଣବ ହେବା ସହିତ ଲୋକମାନଙ୍କ ଘରେ ପାଣି ପଶିଥିବା ଦେଖାଯାଇଥିଲା। ଏହାର ସମାଧାନ ପାଇଁ ଆୟତପୁର ସରପଂଚ ରାକେଶ ବେହେରା ସଫେଇ କୂଳରେ ଅନଶନରେ ବସିଥିବା ଖବର ପାଇ ଜଳ ନିକାସ ବିଭାଗର ଯନ୍ତ୍ରୀମାନେ ଅନଶନ ସ୍ଥଳକୁ ଆସି ସାମୟିକ ସମସ୍ୟାର ସମାଧାନ କରିଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଫେରିଯାଇଥିଲେ।

ହେଲେ ନିକାସ ବିଭାଗ,ଏନ୍ ଏଚ୍ ଏ ଆଇ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସମନ୍ବୟ ଅଭାବରୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ନହେବାରୁ ଆୟତପୁର ସରପଂଚ ରାକେଶ ବେହେରା ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ପୁନର୍ବାର ଆଜି (ଶୁକ୍ରବାର) ଦିନ ଧାରଣାରେ ବସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *