ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା  ବିଭାଗୀୟ  ବିଭିନ୍ନ ଶାଖାର କାର୍ଯ୍ୟ ଓ ପ୍ରକଳ୍ପ  ଅଗ୍ରଗତି ସମୀକ୍ଷା

ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରି ବିଭାଗୀୟ ଖର୍ଚ୍ଚ ବୃଦ୍ଧି  କରିବାକୁ ପରାମର୍ଶ

ଭୁବନେଶ୍ୱର,୨୭/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଆଜି ଜଳ ସଂପଦ ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।

ବୈଠକରେ ବୃହତ୍, ମଧ୍ୟମ, କ୍ଷୁଦ୍ର ଜଳ ସେଚନ, ଉଠା ଜଳସେଚନ, ମେଗା ଲିଫ୍ ସଂପର୍କିତ ବିଭିନ୍ନ କାର୍ଯ୍ୟ ସହିତ ନିର୍ମାଣାଧିନ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ବୈଠକରେ ସମୀକ୍ଷା କରି ଉନ୍ନୟନ କମିଶନର ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ଏବଂ ଯୋଜନାରେ ଅନ୍ତର୍ଭୁକ୍ତ କାର୍ଯ୍ୟଗୁଡ଼ିକୁ ମଞ୍ଜୁରୀ ପାଇଁ ପ୍ରୟାସ କରିବା, ନିର୍ମାଣାଧିନ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବା, ବଜେଟ୍ ପ୍ରାବଧାନ ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରି ବିଭାଗୀୟ ଖର୍ଚ୍ଚ ବୃଦ୍ଧି କରିବା ଏବଂ  ବିଭାଗରେ ଖାଲି ରହିଥିବା ବିଭିନ୍ନ ପଦବୀ ପୂରଣ ସଂପର୍କରେ ପଦକ୍ଷେପ ନେବାକୁବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ  ଆବଶ୍ୟକ  ନିର୍ଦ୍ଦେଶ  ଓ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ଶାଖାର କାର୍ଯ୍ୟ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରିବା ସହ ସମସ୍ତେ ନିଜ ନିଜ ଶାଖାର କାର୍ଯ୍ୟରେ କିପରି ଉଲ୍ଲେଖନୀୟ ତଥା  ଆଖିଦୃଶିଆ ଉନ୍ନତି ଆଣିପାରିବେ, ସେଥିପ୍ରତି  ଆନ୍ତରିକତା  ଓ ସମ୍ମିଳିତ ପ୍ରଚେଷ୍ଟା ଜାରି  ରଖିବାକୁ ସେ  ଆବଶ୍ୟକ ପରାମର୍ଶ ଦେଇଛନ୍ତି ।

-0-

ପଠାଣି ରାଉତ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *