ଓଡ଼ିଶାର ୧,୦୦୦ରୁ ଅଧିକ କେନ୍ଦ୍ରରେ ଇଣ୍ଟର୍ନଶିପ୍ ସୁଯୋଗ: ବିପୁଟ – ଓକେସିଏଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର,୨୬/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ପ୍ରମୁଖ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପୁଟ ), ରାଉରକେଲା ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ ) ମଧ୍ୟରେ ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ କୌଶଳ ବିକାଶ, ଇଣ୍ଟର୍ନଶିପ୍ ସୁଯୋଗ ଓ ଶିଳ୍ପ–ଶିକ୍ଷା ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ଏକ ବୁଝାମଣା ପତ୍ରଗୁରୁବାର ସ୍ୱାକ୍ଷରିତ ହୋଇଛି।
ଭୁବନେଶ୍ୱରସ୍ଥ ରେଲୱେ ଅଡିଟୋରିଅମ୍‌ରେ ଆୟୋଜିତବିପୁଟ ଟେକ କାର୍ନିଭାଲ୨୦୨୫ ର ପୁରସ୍କାର ବିତରଣ ଅବସରରେ ବିପୁଟର କୁଳପତି ପ୍ରଫେସର (ଡ଼ଃ) ଅମିୟ କୁମାର ରଥ ଓ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମନୋରଞ୍ଜନ ପୁଥାଳ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ୟକ୍ରମରେ ବହୁ ଶିକ୍ଷାବିଦ୍, ଶିଳ୍ପ ପ୍ରତିନିଧି ଓ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଏହି ବୁଝାମଣା ପତ୍ରର ମୁଖ୍ୟ ଆକର୍ଷଣ ହେଉଛି— ବିପୁଟଓ ତାହାର ଅନୁବନ୍ଧିତ ମହାବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଶାରେ ୧,୦୦୦ରୁ ଅଧିକ ଓକେସିଏଲଅଧିକୃତ କେନ୍ଦ୍ରରେ ଇଣ୍ଟର୍ନଶିପ୍ କରିପାରିବେ। ଏହା ଫଳରେ ରାଜ୍ୟର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ, ବିଶେଷକରି ଗ୍ରାମୀଣ ଓ ସହର ଅଞ୍ଚଳରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ, ପ୍ରାୟୋଗିକ ପ୍ରଶିକ୍ଷଣର ସୁବିଧା ସହଜରେ ପାଇପାରିବେ।
ଏହି ଅବସରରେ କୁଳପତି ପ୍ରଫେସର (ଡ଼ଃ) ଅମିୟ କୁମାର ରଥ କହିଥିଲେ, “ଏହି ବୁଝାମଣା ପତ୍ରମାଧ୍ୟମରେ ଆମ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିପାରିବେ। ଏହା ତାଙ୍କର ନିଯୁକ୍ତିଯୋଗ୍ୟତା ବୃଦ୍ଧି କରିବା ସହିତ ଆଗାମୀ କ୍ୟାରିୟର ସୁଯୋଗ ପାଇଁ ସଜାଗ ଓ ପ୍ରସ୍ତୁତ କରିବ।”
ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମନୋରଞ୍ଜନ ପୁଥାଳ କହିଥିଲେ, “ଓକେସିଏଲର ବିସ୍ତୃତ ନେଟୱର୍କ ଓ ପ୍ରଯୁକ୍ତିଆଧାରିତ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଉତ୍କର୍ଷ ଓ ବ୍ୟାପକ ସ୍କିଲିଂ କାର୍ୟକ୍ରମ ସୁନିଶ୍ଚିତ ହେବ। ଜିଲ୍ଲାସ୍ତରରେ ଶିଳ୍ପ–ସମ୍ମତ ଇଣ୍ଟର୍ନଶିପ୍ ଓ ପ୍ରଶିକ୍ଷଣ ସୁଯୋଗ ପ୍ରଦାନ କରି କ୍ଳାସ ରୁମ ଶିକ୍ଷା ଓ ବ୍ୟବହାରିକ କ୍ଷେତ୍ରର ମଧ୍ୟରେ ଥିବା ଅନ୍ତରକୁ ହ୍ରାସ କରିବା ଆମର ଲକ୍ଷ୍ୟ।”
ଏହି ଚୁକ୍ତି ଅନୁସାରେ ଛାତ୍ରଛାତ୍ରୀମାନେ କୃତ୍ରିମ ମେଧା ସାଇବର ସୁରକ୍ଷା, ଡାଟା ସାଇନ୍ସ, ସଫ୍ଟୱେର ଇଞ୍ଜିନିୟରିଂ , ଡିଜିଟାଲ୍ ମାର୍କେଟିଂ, ବ୍ୟାଙ୍କିଂ ଓ ଆର୍ଥିକ ସେବା , ରିଟେଲ୍ ପ୍ରବନ୍ଧନ ଓ ଅନ୍ୟାନ୍ୟ ଡିଜିଟାଲ୍ କ୍ଷେତ୍ରରେ ଇଣ୍ଟର୍ନଶିପ୍ ଓ ସର୍ଟିଫିକେସନ୍ ପ୍ରୋଗ୍ରାମ କରି ପାରିବେ।
ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସିଲେକଟେଡ ସ୍କିଲିଂ ପ୍ରୋଗ୍ରାମଗୁଡ଼ିକୁ କ୍ରେଡିଟ୍ ଆଧାରିତ କିମ୍ବା ମାଇନର୍ କୋର୍ସ ଭାବେ ସ୍ୱୀକୃତି ଦେବା ବ୍ୟବସ୍ଥା ମଧ୍ୟ ରହିଛି।
ଏହା ସହିତ ଅନୁବନ୍ଧିତ ମହାବିଦ୍ୟାଳୟମାନଙ୍କରେ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେସିଓଇ ସ୍ଥାପନ, ନବୀନତାମୂଳକ ପ୍ରକଳ୍ପ, ପ୍ରୟୋଗମୂଳକ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ଦିଆଯିବ।
ଏହି ଚୁକ୍ତି ଅନୁଯାୟୀ ବିପୁଟର କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଲ୍ କୁ ଡିଜିଟାଲ୍ ପ୍ରକ୍ରିୟା ମାଧ୍ୟମରେ ସୁସଂଗଠିତ କରି ଶିଳ୍ପ ସଂଯୋଗ ବୃଦ୍ଧି, ପ୍ଲେସମେଣ୍ଟ ଡ୍ରାଇଭ୍ ଓ ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ସୁଚାରୁ କରାଯିବ।
ବୁଝାମଣା ପତ୍ରରର ତିନିବର୍ଷୀୟ ଦୃଷ୍ଟିକୋଣ ଅନୁଯାୟୀ ବିଶାଳ ପରିମାଣରେ ଡିଜିଟାଲ୍ ସାକ୍ଷରତା ଓ କୌଶଳ ବିକାଶ କାର୍ୟକ୍ରମ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଇଁ କାର୍ୟକରୀ ହେବ।
କର୍ତ୍ତୃପକ୍ଷଙ୍କ ମତାନୁସାରେ, ଏହି ସହଯୋଗ ପ୍ରତିବର୍ଷ ଏକ ଲକ୍ଷ ପଚାଶ ହଜାର ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଲାଭାନ୍ବିତ କରିବା ସହିତ ଓଡ଼ିଶାରେ ଏକ ଭବିଷ୍ୟତ୍ମୁଖୀ ଓ ଡିଜିଟାଲ୍ ଦକ୍ଷ କର୍ମଶକ୍ତି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

Leave a Reply

Your email address will not be published. Required fields are marked *