ମାହାଙ୍ଗା,୦୯/୧୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା )କୁମୁଡା ଜୟୀପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ପ୍ରସିଦ୍ଧ ରାଧାକୃଷ୍ଣ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଅଳଙ୍କାର ଚୋରୀ ଯିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି ।
ଏହି ମନ୍ଦିରରେ ରାଧାକୃଷ୍ଣ, ହରିହରଙ୍କୁ ପୂଜାର୍ଚ୍ଚନା କରାଯାଏ । ପ୍ରଭୁଙ୍କ ପାଇଁ ରୂପାରେ ନିର୍ମିତ ବିଭିନ୍ନ ଅଳଙ୍କାର ପୂଜକ ମାନେ ତାଙ୍କୁ ପରିଧାନ କରାଇବାର ବିଧି ରହିଛି । ତେବେ ରାଧାକୃଷ୍ଣଙ୍କ ମଥାରେ ଶୋଭାପାଉଥିବା ୨ଟି ରୁପାର ମୁକୁଟ ଗତ ରବିବାର ରାତିରେ କେହି ଦୁର୍ବୃତ୍ତ ଚୋରେଇ ନେଇଥିବା ସୋମବାର ସକାଳୁ ଜଣାପଡିଥିଲା ।
ମନ୍ଦିରର ମୁଖ୍ୟ ଦ୍ୱାର ସମେତ ଭିତର ପଟେ ଲାଗିଥିବା ୩ଟି ଦ୍ୱାରର କବାଟ ଭାଙ୍ଗି ଏହି ଲୁଟ ପାଟ ହୋଇଥିବା ପୋଲିସ ନିକଟରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ ପରେ ମାହାଙ୍ଗା ଆଇଆଇସି ଯୁଗଳ କିଶୋର ଦାସ, ଫାଣ୍ଡି ଅଧିକାରୀ ବିମ୍ବାଧର ମଲ୍ଲିକ, ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ଚୋରୀ ଅଳଙ୍କାର ଉଦ୍ଧାର ସହିତ ଅପରାଧି ମାନଙ୍କୁ ଧରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
