ମାର୍ଚ ୧୪ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର, ୨୬/୦୨/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସ୍ତରୀୟ ଓ ତାଲୁକ ସ୍ତରୀୟ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ମାର୍ଚ ମାସ ୧୪ ତାରିଖରେ ସମସ୍ତ ଅଦାଲତ ଏବଂ ସମସ୍ତ ତହସିଲ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ୱ ମାମଲା, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ) ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ (ଦରମା , ଭତ୍ତା ଓ ଅବସର କାଳୀନ ପ୍ରାପ୍ୟ), ମୋଟର ଦୁର୍ଘଟଣା ଦାବି ସମ୍ବଧୀୟ ଓ ଅନ୍ୟାନ୍ୟ ଦିୱାନୀ ମୋକଦମା ଇତ୍ୟାଦିର ଆପୋସ ସହମତିରେ ସମାଧାନ କରାଯାଇପାରିବ ।

କେବଳ ବିଚାରଧିନ ମୋକଦ୍ଦମା ନୁହେଁ ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା), ଚେକ ବାଉନ୍ସ ମାମଲା, ବି.ଏସ୍.ଏନ୍.ଏଳ୍, ବ୍ୟାଙ୍କ ଋଣ ବିବାଦ , ଶ୍ରମ ଓ ନିଯୁକ୍ତି ବିବାଦ, ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ, ସାଲିସ୍ ଯୋଗ୍ୟ ଟ୍ରାଫିକ ଚାଳାଣ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମୋକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ  ଏବଂ ଲୋକ ଅଦାଲତର ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ , ଯଦି କୌଣସି ବିଚାରଧିନ ମୋକଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *