କାମାକ୍ଷାନଗର,୨୬/୦୨/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ କାର୍ଯ୍ୟ କରୁଥିବା ‘ସଖୀ’ ୱାନ ଷ୍ଟପ୍ ସେଣ୍ଟରର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ଆଜି ଯୋଜନା ଓ ସମନ୍ବୟ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀ ଟେମଜେନୱାପାଞ୍ଜ ଆଓ ଏକ ସରକାରୀ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି।
ଏହି ପରିଦର୍ଶନ ସମୟରେ ସ୍ବତନ୍ତ୍ର ସଚିବ କେନ୍ଦ୍ରର ସମସ୍ତ ବିଭାଗ ବୁଲି ଦେଖିବା ସହ ଏହାର ପରିଚାଳନା ସମ୍ପର୍କରେ ତଦାରଖ କରିଥିଲେ। ସେ ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳରେ ମହିଳାମାନଙ୍କ ସାମାଜିକ ସ୍ଥିତି, ସେମାନଙ୍କ ସୁରକ୍ଷା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷ କରି ଶିଶୁ ବିବାହର କାରଣ ଏବଂ ଏହାର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଗସ୍ତ ସମୟରେ ସ୍ବତନ୍ତ୍ର ସଚିବ ଙ୍କ ସହିତ ଢେଙ୍କାନାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, କାମାକ୍ଷାନଗର ବିଡିଓ ଶ୍ରୀ ପ୍ରଭୁ କଲ୍ୟାଣ ଦାସ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଦିଗାମ୍ବର ସାହୁ ଏବଂ ଉପଖଣ୍ଡ ଡାକ୍ତରଖାନାର ଜୁନିୟର ହସ୍ପିଟାଲ ମ୍ୟାନେଜର ରଶ୍ମିପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଥିବା ସ୍ବେଚ୍ଛାସେବୀ ସଂଗଠନ ଶୋଭା ର ନିର୍ଦ୍ଦେଶକ ଶ୍ରୀ ଉଦୟେନ୍ଦୁ ମିଶ୍ର ଅତିଥିମାନଙ୍କୁ କେନ୍ଦ୍ରର କାର୍ଯ୍ୟଧାରା ଏବଂ ମହିଳାମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ।
ସ୍ବତନ୍ତ୍ର ସଚିବ ସଖୀ କେନ୍ଦ୍ରର କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ମହିଳାମାନଙ୍କୁ ତୁରନ୍ତ ସହାୟତା ଓ ନ୍ୟାୟ ଯୋଗାଇବାରେ ସେମାନଙ୍କ ଭୂମିକା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ନିର୍ଯାତିତ ମହିଳାଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ଏବଂ କେନ୍ଦ୍ରର ସାମଗ୍ରିକ କାର୍ଯ୍ୟଦକ୍ଷତାକୁ ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ଶୋଭା ‘ର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ରହି ସଖୀ କେନ୍ଦ୍ରର ଉନ୍ନତି ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ।
