ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସ୍ୱର୍ଣ୍ଣପଦକ ବିଜୟିନୀଙ୍କୁ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ’
ଭୁବନେଶ୍ୱର,୨୨/୦୨/୨୦୨୬ (ଓଡ଼ିଶା ସମାଚାର)-ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ରାଜ୍ୟସଭା ସାଂସଦ, ସୁସାହିତି୍ୟକ ତଥା ‘ଭାଷା ସୁରକ୍ଷା ସମ୍ମିଳନୀ’ର ପ୍ରତିଷ୍ଠାତା ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ୮୫ତମ ଜୟନ୍ତୀ ସମାରୋହ ସ୍ଥାନୀୟ ଲୋହିଆ ଏକାଡେମୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଗାନ୍ଧୀବାଦୀ ଓ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ସଭାପତି ଶ୍ରୀମତୀ କ୍ରିଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶ୍ରମିକ ନେତା, ଆଇ.ଏନ୍.ଟି.ୟୁ.ସି.ର ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ, ସି.ପି.ଆଇ (ଏମ୍)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଶ୍ରୀଯୁକ୍ତ ସନ୍ତୋଷ ଦାସ ଓ ବିଶିଷ୍ଟ ସାହିତି୍ୟକ ଡ. ବିଜୟାନନ୍ଦ ସିଂହ ଯୋଗଦେଇଥିଲେ ।

ଏହି ଅବସରରେ ‘ନୂତନ ଜାତୀୟ ଶିକ୍ଷାନୀତିରେ ମାତୃଭାଷାର ସ୍ଥାନ’ ଶୀର୍ଷକ ପଂଚମ ବୈଷ୍ଣବ ପରିଡ଼ା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ସାହିତି୍ୟକ ଓ ସମାଲୋଚକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପ୍ରଫେସର ଡ. ମଣୀନ୍ଦ୍ର କୁମାର ମେହେର । ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ବିଗତ ବର୍ଷରେ ସର୍ବୋଚ୍ଚ ନମ୍ବରପ୍ରାପ୍ତ ସ୍ୱର୍ଣ୍ଣପଦକ ବିଜୟିନୀ ଛାତ୍ରୀ ସୁଶ୍ରୀ ଜ୍ୟୋର୍ତିମୟୀ ପୃଷ୍ଟିଙ୍କୁ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ସମ୍ମାନ ସ୍ୱରୂପ ସ୍ମୃତି ଫଳକ, ୧୦ ହଜାର ଟଙ୍କାର ଅର୍ଥରାଶି ଓ ଉତରୀୟ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସ୍ମୃତି ସଂସଦର ସଦସ୍ୟା ତଥା ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ସୁକନ୍ୟା ଶ୍ରୀମତୀ ଲୁନିତା ବାରିକ ।
ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ସମ୍ପାଦକ ଶ୍ରୀଯୁକ୍ତ ଅମିତାଭ ଖିଲାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ଶ୍ରୀଯୁକ୍ତ ନଟବର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତିନ୍ୟାସର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଶ୍ୱନାଥ ବେହେରା । ଏହି ଅବସରରେ ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ଆବାହିକା ଡ. ସ୍ୱର୍ଣ୍ଣଲତା ପରିଡ଼ାଙ୍କ ଦ୍ୱାରା ରଚିତ ଏବଂ ବ୍ଲାକ ଈଗଲ୍ ବୁକ୍ସ୍ ଦ୍ୱାରା ପ୍ରକାଶିତ ଅନୁବାଦ ଗଳ୍ପ ସଂକଳନ ‘ଆଲିଶା ଓ ଋଷୀୟ ପରୀ କାହାଣୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉନ୍ମୋଚନ କାଳରେ ମଂଚରେ ଉପସ୍ଥିତ ଥିଲେ ବ୍ଲାକ୍ ଈଗଲ୍ ବୁକ୍ସ୍ର ଭାରତ ମୁଖ୍ୟ ଶ୍ରୀଯୁକ୍ତ ଅଶୋକ ପରିଡ଼ା ।
