ଭାରତ ଛାଡ଼ ଆନ୍ଦୋଳନର ସାହସୀ ସିପାହୀ ତଥା ଶତାୟୁ ସମାଜବାଦୀ ନେତା ଡଃ ଜି.ଜି. ପାରିଖଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ମହାତ୍ମା ଗାନ୍ଧୀ, ଲୋକନାୟକ ଜୟପ୍ରକାଶ ବିପ୍ଳବୀ ୟୁସୁଫ ମେହେର ଅଲ୍ଲୀଙ୍କ ପରିକଳ୍ପିତ ମାନବବାଦୀ ଆନ୍ଦୋଳନର ସାରଥୀ ଥିଲେ ଡଃ ଜି. ଜି. ପାରିଖ

 ଭୁବନେଶ୍ୱର,୦୭/୧୦/୨୦୨୫ (ଓଡ଼ିଶା ସମାଚାର)- ଭାରତ ଛାଡ଼ ଆନ୍ଦୋଳନର ସାହସୀ ସିପାହୀ ତଥା ବିଶିଷ୍ଟ ସମାଜବାଦୀ ନେତା ଡଃ ଜି.ଜି. ପାରିଖଙ୍କ ବିୟୋଗରେ ଆଜି ଲୋହିଆ ଏକାଡ଼େମୀ, ୟୁସୁଫ ମେହେର ଅଲ୍ଲୀ ସେଣ୍ଟର ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା।

ବିଶିଷ୍ଟ କୃଷକ ନେତା ଲିଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ, ଆପ୍ ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ରାକ୍ତନ ବିଧାୟକ ରାଧକାନ୍ତ ସେଠୀ, ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରି କହିଲେ ଯେ, ଡଃ ଜି. ଜି. ପାରିଖ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ବରଂ ସେ ମହାତ୍ମା ଗାନ୍ଧୀ, ଲୋକନାୟକ ଜୟପ୍ରକାଶ ଓ ବିପ୍ଳବୀ ୟୁସୁଫ ମେହେର ଅଲ୍ଲୀଙ୍କ ପରିକଳ୍ପିତ ମାନବବାଦୀ ଆନ୍ଦୋଳନର ସିପାହୀ ଭାବେ ନିଜକୁ ପ୍ରତିଷ୍ଠା କରି ସମଗ୍ର ଦେଶରେ ସମାଜବାଦୀ ଆନ୍ଦୋଳନରକୁ ମଜବୁତ କରିବାରେ ଅଦମ୍ୟ ଭୂମିକା ନେଇଥିଲେ। ସେ ଯୁବପିଢ଼ୀଙ୍କୁ ଗାନ୍ଧୀ ତଥା ସମାଜବାଦର ଆଦର୍ଶ, ସାହସ ଓ ସମାଜସେବାର ଦିଗରେ ପ୍ରେରିତ କରିଥିଲେ।

ନିଜର ସରଳତା, ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ପ୍ରୟୋଗ ତଥା ଲୋକନାୟକ ଜୟପ୍ରକାଶ ଓ ୟୁସୁଫ ମେହେର ଅଲ୍ଲୀଙ୍କ ସମାଜବାଦୀ ସ୍ୱପ୍ନକୁ ସେ ନିଜ ଜୀବନରେ ଜୀବନ୍ତ କରିଥିଲେ। ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ୟୁସୁଫ ମେହେର ଅଲ୍ଲୀଙ୍କ ନାମରେ ମୁମ୍ବାଇ ନିକଟ ତାରା ଗ୍ରାମରେ ୟୁସୁଫ ମେହେର ଅଲ୍ଲୀ ସେଣ୍ଟର ପ୍ରତିଷ୍ଠା କରି ଗାନ୍ଧୀଙ୍କ ପରିକଳ୍ପିତ ରଚନାତ୍ମକ କାର୍ଯ୍ୟକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ନିଜ ଜୀବନର ଶହେ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଦେଶରେ ବଢ଼ୁଥିବା ଅସହିଷ୍ଣୁତା, ସାମ୍ପ୍ରଦାୟିକତା ତଥା ଭାଇଚାରା, ସଦଭାବନା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ସମାଜର ସବୁଵର୍ଗର ବ୍ୟକ୍ତିଙ୍କୁ ଅନବରତ ଲଢ଼ିବା ପାଇଁ ପ୍ରେରିତ କରିବା ତାଙ୍କର ଜୀବନ ନୂତନ ପିଢ଼ୀ ପାଇଁ ଏକ ଅବିସ୍ମରଣୀୟ ପ୍ରେରଣା ହେଇ ରହିବ।

ଆଜିର ସମୟରେ ସାମ୍ପ୍ରଦାୟିକ ଅସହିଷ୍ଣୁତା ଓ ସାମାଜିକ ବିଦ୍ୱେଷ ବଢ଼ିବା ସମୟରେ ଡଃ ଜି. ଜି. ପାରିଖଙ୍କ ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଆଜିର ସ୍ମୃତିଚାରଣ ସଭାରେ ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ୟୁସୁଫ ମେହେର ଅଲ୍ଲୀ ସେଣ୍ଟରର ରାଜ୍ୟ ସଂଯୋଜକ କଲ୍ୟାଣ ଆନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ବ୍ୟକ୍ତବିଶେଷ ମାନଙ୍କ ଦ୍ୱାରା ଡଃ ପାରିଖଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣକରାଯାଇଥିଲା।

Leave a Reply

Your email address will not be published. Required fields are marked *