ଭୁବନ ୨୨/୦୨/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାରେ ଥ୍ରି ଏମ ( ମୋହନ,ମୁକୁ,ମନ ମୋହନ) ଙ୍କ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ କିଛି ଜାଣୁ ନାହାନ୍ତି , କେବଳ ଅଫିସରଙ୍କ ଲେଖା ପଢୁଛନ୍ତି । କେନ୍ଦ୍ରମନ୍ତ୍ରୀ ମୁକୁ ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ ମନଇଚ୍ଛା କାମ କରୁଛନ୍ତି ବୋଲି ଢେ଼ଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଡ଼ା ନୃସିଂହ ଚରଣ ସାହୁ ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ କଣପାଳ ଆମ୍ବ ବଗିଚା ଠାରେ ବିଜେଡି ତରଫରୁ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବୃଦ୍ଧ,ବୃଦ୍ଧା ଙ୍କୁ ମାସିକ ୩ ହଜାର ଟଙ୍କା,୮୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବୟସ୍କ ଙ୍କୁ ୩୫୦୦ ଟଙ୍କା,୨୧ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ମହିଳାଙ୍କୁ ଦୁଇ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ।
୨୦ ମାସର ସରକାର ରେ ଗୋଟିଏ ବି ନୂଆ ଭତ୍ତା ଇସ୍ୟୁ ହୋଇନାହିଁ । ପ୍ରତ୍ୟେକ ବ୍ଲକ ଅଫିସ ରେ ଶହ ଶହ ସଂଖ୍ୟାରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ/ବୃଦ୍ଧା ଙ୍କ ଆବେଦନ ପତ୍ର ପଡ଼ି ରହିଛି । ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ୨ ବର୍ଷ ରେ ୫୦ ହଜାର ଟଙ୍କା ଦିଆଯିବ କହି ବର୍ଷକୁ ଦୁଇଟି କିସ୍ତି ରେ ୧୦ ହଜାର ଟଙ୍କା ଦିଆଯାଉଛି । ନବୀନ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବା ବେଳେ ବିଜେପି ସରକାର ସବୁ ଯୋଜନାର ନାମ ବଦଳାଇବା ସହ ରଙ୍ଗ ମଧ୍ୟ ବଦଳାଇ ଦେଇଛି ବୋଲି କହିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦେବାକୁ ଡ଼ା ନୃସିଂହ ଚରଣ ସାହୁ ଆହ୍ବାନ ଦେଇଥିଲେ। ଭୁବନ ଏନ୍ ଏ ସି ବିଜେଡି ସଭାପତି ତଥା ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେଡି
କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ( ଡୁଗୁ) ଯୋଗଦେଇ କହିଥିଲେ ଯେ,୩୦୦ ୟୁନିଟ ବିଜୁଳି ଫ୍ରି ମିଳିବ, ଧାନ ମଣ୍ଡିରେ କଟନି ଛଟନି ହେବ ନାହିଁ, ମିଲର ଓ ଦଲାଲ ରାଜ ବନ୍ଦ ହେବ,୨୪ ଘଣ୍ଟାରେ ଚିଟ ଫଣ୍ଡ ଟଙ୍କା ମିଳିବ,ରତ୍ନ ଭଣ୍ଡାର ଗଣତି ମଣତି ହେବ ବୋଲି ଗ୍ୟାରେଣ୍ଟି ଦେଉଥିବା ନେତା କୁଆଡେ ଗଲେ ? ମୁଖ୍ୟମନ୍ତ୍ରୀ ନିଜକୁ ନିଜେ ଲୋକଙ୍କ ସରକାର ବୋଲି ପ୍ରଚାର କରୁଛନ୍ତି । ବାସ୍ତବରେ ରାଜ୍ୟରେ “ଲୋକଙ୍କ ସରକାର ନୁହେଁ, ଠକଙ୍କ ସରକାର” ଚାଲିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ସାହୁ ଯୋଗଦେଇ କହିଥିଲେ ଯେ, ଠନ ଠନ ଧାନ ଆଣିଲେ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ କୁ ଠନ ଠନ ପଇସା ଯିବ ବୋଲି ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହୁଥିଲେ । କିନ୍ତୁ ବାସ୍ତବରେ ୨୪ ଘଣ୍ଟା ବଦଳରେ ୨୪ ଦିନ ପରେ ମଧ୍ୟ ଚାଷୀ ଧାନ ବିକ୍ରି କରି ପଇସା ପାଉନାହିଁ । “ଠନ ଠନ କହି ଲୋକଙ୍କୁ ଦିନରେ ଦେଖାଇ ଦେଲେ ଲଣ୍ଠନ” ବୋଲି ଜିଲ୍ଲା ଉପ ସଭାପତି ସୁଧାକର ସାହୁ କହିଥିଲେ ।
ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସାହୁ,ଅଭିମନ୍ୟୁ ବେହେରା, ଅଜୟ ସେଠୀ,ସୋମନାଥ ମହାରଣା,ସମ୍ପାଦକ ବିଶ୍ୱଜିତ୍ ବାରିକ,ପିଣ୍ଟୁ ଦାସ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ,ବରିଷ୍ଠ ମହିଳା ନେତ୍ରୀ ପୁଷ୍ପଲତା ରାଉତ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତା ଙ୍କ ସମେତ ବରିଷ୍ଠ ନାଗରିକ ତଥା ୮୮ ବର୍ଷୀୟ ବିଜେଡି ପ୍ରେମୀ ବ୍ରଜବନ୍ଧୁ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜେଡି ସମର୍ଥିତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ( ମହିଳା,ପୁରୁଷ) ଯୋଗଦେଇଥିଲେ ।
