ଯାଜପୁର ୧୯/୦୧/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଟାଉନ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାୟ ମଣ୍ଡପ ପରିସରରେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପଂଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ମହେଶ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯାଜପୁରର ପୂର୍ବତନ ସାଂସଦ ଅଂଚଳ ଦାସ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ସ୍ୱାମୀଜୀଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରକାଶ କରିବା ସହିତ ପିତା, ମାତା, ଗୁରୁଜୀ, ଗୁରୁମାଙ୍କ ପ୍ରତି ଭକ୍ତି କଲେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲା ସଭାପତି ହରିହର ସ୍ୱାଇଁ ଯୋଗଦେଇ ଶିକ୍ଷାକୁ ବ୍ୟବସାୟିକ ଭାବେ ନ ନେଇ ଗୁଣବତା ଓ ସେବା ମନବୃତି ରଖି କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନମାନେ କାର୍ଯ୍ୟ କରିବା ସହିତ ସ୍ୱାମୀଜୀଙ୍କ ଭଳି ନିଜକୁ ଗଢ଼ିତୋଳିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟତମ ଶିକ୍ଷାବିତ ନୃସିଂହ ଚରଣ ଜେନା ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ, ଅନ୍ୱେଷଣ ଥିଏଟର ଗ୍ରୁପର ସମ୍ପାଦକ ଅଭିମନୁ୍ୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ନଟବର ସାହୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ୱାଜିଦ ଅଲି ଓ ଓମ ସାଇ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ରିଂଟୁସାର ପିଲାମାନଙ୍କୁ ନୃତ୍ୟ ଶିକ୍ଷାଦାନ କରିଥିଲେ । ଏହି ଅବସରରେ ସଂଜୀବ କୁମାର ମହଲା ନିର୍ଦ୍ଧେଶିତ ନାଟକ ମାନବତା କି ଝଲକ ପିଲାମାନଙ୍କ ଦ୍ୱାରା ପିରବେଷଣ କରାଯାଇଥିଲା । ଯାହାକୁ ସମସ୍ତେ ଭୂୁୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଶ୍ରୀମତୀ ନିହାରିକା ସାହୁ, ନନ୍ଦିତା ପଣ୍ଡା, ଉଷାଶ୍ରୀ ଦାସ, ରଂଜିତା ସାହୁ ପୁଷ୍ପଲତା ସାହୁ ପ୍ରମୁଖ ସହଯୋଗ କରିଛନ୍ତି । ଶେଷରେ ଅନୁଷ୍ଠାନର ସଭାପତି ନଟବର ସାହୁ ଧନ୍ୟବାଦ ଦେଇଛନ୍ତି ।
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ
