ଜଗତସିଂହପୁର, ୨୨/୦୨/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଳକ ଅନ୍ତର୍ଗତ ଅଙ୍ଗେଶ୍ବରପଡା ସ୍ଥିତ ମୁଣ୍ଡାସାହିରେ ଜାତୀୟ ଆଇନସେବା ପ୍ରାଧିକରଣର ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା “ସମ୍ବାଦ” ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣ ସଚ଼ିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନିୟ ଶିଖର ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପାରା ଲିଗାଲ ସ୍ଵେଚ୍ଛାସେବୀ ଓ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସରପଞ୍ଚ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।
ସଚିବ “ସମ୍ବାଦ” ଯୋଜନା ବିଷୟରେ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜାତୀୟ ଆଇନ ସେବା ପ୍ରାଧୀକରଣ ଆଇନ ୧୯୮୭ ର ଧାର ୧୨ ଅନୁଯାଇ ଆଇନସେବା ପ୍ରାଧିକରଣ ତରଫରୁ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ନିଃଶୁକ୍ଳ ଆଇନସେବା ଯୋଗାଇ ଦିଆଯାଇଥାଏ। ଅଦାଲତରେ ଯେ କୌଣସି ମୋକଦ୍ଦମାର ପରିଚାଳନା ପାଇଁ ମାଗଣାରେ ଆଇନଜିବୀ ନିୟୋଜିତ କରାଯାଏ। ଆଇନ ସହାୟତା ପାଇବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏକ ଆବେଦନ ପତ୍ର ଦାଖଲ କରିବାକୁ ପଡିଥାଏ କିମ୍ବା ଜାତିୟ ଆଇନ ସେବା ପ୍ରାଧିକରଣ ହେଲ୍ପ ଲାଇନ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିହେବ। କେବଳ ଆଇନଗତ ସହାୟତା ନୁହେଁ ଯଦି ଅନୁସୂଚିତ ବର୍ଗର ବ୍ୟକ୍ତିମାନେ ସରକାରୀ ଯୋଜନା, ଜାତିଗତ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ଶ୍ରମ କାର୍ଡରୁ ବଞ୍ଚିତ ହେଉଥାନ୍ତି ତେବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ ସଚ଼ିବ ସଚେତନ କରାଇଥିଲେ। ପରିଶେଷରେ ସମିତି ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
