ଜଗତସିଂହପୁର, ୨୮/୦୯/୨୦୨୬ (ଓଡ଼ିଶା ସମାଚାର)- ଲଘୁଚାପ ପ୍ରଭାବରେ ଗତ କିଛିଦିନ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ର ୩୦ ଟିଗେଟ ଖୋଲାଯାଇଛି ବୋଲି ସୂଚନା ମିଳିଛି। ଫଳରେ ମୁଣ୍ଡଳୀଠାରେ ଜଳ ପ୍ରବାହ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଜଗତସିଂହପୁର ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ସମସ୍ତ ପ୍ରସ୍ତୁତିକୁ ସୁଦୃଢ଼ କରାଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଶ୍ରୀ ଜେ ସୋନାଲ ଏ ନେଇ ଗତକାଲି ଆଭାସୀ ମାଧ୍ୟମରେ ଆରକ୍ଷୀ ଅଧୀକ୍ଷକ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO)ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଥିଲେ।
ଆଜି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ତଥା ସଂପୃକ୍ତ ବିଡ଼ିଓ ତହସିଲଦାର ବିଭାଗୀୟ ଅଧିକାରୀ ତିର୍ତ୍ତୋଲ ବ୍ଲକ୍ର ମୁଣ୍ଡାସାହି, ମଣିଜଙ୍ଗା ଓ କୋଟକଣା ଏବଂ କୁଜଙ୍ଗ ବ୍ଲକ୍ର ହରିପୁର ଆଦି ବନ୍ୟାପ୍ରବଣ ଅଞ୍ଚଳ ପରିଦର୍ଶନ କରି ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ତିର୍ତ୍ତୋଲ , କୁଜଙ୍ଗ, ରଘୁନାଥପୁର, ବିରିଡ଼ି ବ୍ଳକ ର ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳରେ ସମ୍ପୃକ୍ତ ବ୍ଲକ୍ ଓ ତହସିଲ୍ଦାର, ପୋଲିସ କର୍ମଚାରୀ ଏବଂ ପଞ୍ଚାୟତିରାଜ ଜନ ପ୍ରତିନିଧିମାନଙ୍କୁ କ୍ଷେତ୍ରସ୍ତରରେ ସମନ୍ଵୟ ରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ନିମ୍ନାଞ୍ଚଳ ଓ ଜଳମଗ୍ନ ହେବାର ସମ୍ଭାବନା ଥିବା ଗ୍ରାମଗୁଡ଼ିକରେ ଜନସାଧାରଣଙ୍କ ସୁରକ୍ଷା, ଆବଶ୍ୟକ ସହାୟତା ଓ ତ୍ୱରିତ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଆବଶ୍ୟକ ସ୍ଥଳେ ପ୍ରଭାଵିତ ମାନଙ୍କୁ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରିବା ସହ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସହ ପାନୀୟ ଜଳ, ଆବଶ୍ୟକୀୟ ଔଷଧ, ପଲିଥିନ୍ ଆଦି ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାସହ ଅଞ୍ଚଳ ବାସୀ ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀ ରେ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ପରେ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କ ପାଇଁ ଗୋଖାଦ୍ୟ, ପଶୁଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ସ୍ଥଳେ ଔଷଧ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତିର ନିରନ୍ତର ନିରୀକ୍ଷଣ କରାଯାଉଛି। ମାଇକିଂ ଦ୍ଵାରା ଜନ ସଧାରଣ, ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଉଛି।ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକ ସମସ୍ତ ପ୍ରତିଷେଧକ ଓ ଉଦ୍ଧାରମୂଳକ ପଦକ୍ଷେପ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
