କୃତ୍ରିମ ବୁଦ୍ଧିମତ୍ତା ମଞ୍ଚରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଦବଦବା

ବାରଙ୍ଗ ୧୯/୦୨/୨୦୨୬ (ଓଡ଼ିଶା ସମାଚାର)- “କୃତ୍ରିମ ବୁଦ୍ଧିମତ୍ତା କେବଳ ବୈଷୟିକ ପ୍ରଗତିର ମାଧ୍ୟମ ନ ସାଜି ସାମାଜିକ ରୂପାନ୍ତରଣର ମାଧ୍ୟମ ପାଲଟୁ । ସେଥିପାଇଁ ଏହାକୁ ସୁଲଭ, ନୈତିକ ଏବଂ ଲୋକାଭିମୁଖୀ କରିବା ନେଇ ଉଦ୍ୟମ ହେଉ ।” ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ-ଫିକ୍କି ପକ୍ଷରୁ ଫେବ୍ରୁଆରି ୧୬ରୁ ୨୦ ତାରିଖ ପର୍ୟ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ଉପରେ ଶିଖର ସମ୍ମିଳନୀ ‘ଭାରତ-୨୦୨୬’ରେ ଅତିଥି ବକ୍ତା ଭାବରେ ଯୋଗଦେଇ ଏକଥା କହିଛନ୍ତି ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣୀ ।

ପ୍ରଫେସର କୁଲକର୍ଣ୍ଣୀ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଯୋଗଦାନ ସମ୍ପର୍କରେ ଆଲୋଚନା କରି କହିଥିଲେ, ସମଗ୍ର ଶିକ୍ଷା କାର୍ୟ୍ୟକ୍ରମର ରୂପାୟନ ସହ ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତ୍ତା ସାମିଲ କରାଯାଉଛି । ଏଥିସହ ଅଗ୍ରଣୀ ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନମାନଙ୍କ ସହ ଏହାର ସହଭାଗିତା ମଧ୍ୟ ଗଢ଼ିଉଠିଛି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସମକାରୀ ସଂସ୍ଥାମାନଙ୍କ ସହ ମଧ୍ୟ ସମନ୍ୱୟ ରଖି କାର୍ୟ୍ୟ କରୁଛି । ସାଇବର ସୁରକ୍ଷା ଏବଂ ଡିଜିଟାଲ ମାନବବାଦ କ୍ଷେତ୍ରରେ ଉତ୍କୃଷ୍ଟ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନେଉଛି । ମହିଳା, ଗ୍ରାମାଞ୍ଚଳର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପର୍ୟ୍ୟନ୍ତ କୃତ୍ରିମ ବୁଦ୍ଧିମତ୍ତା କିଭଳି ପହଞ୍ଚି ପାରିବ, ସେଥିପାଇଁ ପ୍ରୟାସ ଜାରି ରହିଛି ।

ଏହି ଅବସରରେ ଏପିସିଓର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମିଷ୍ଟର ବ୍ରାଡ୍ ଷ୍ଟେପଲ୍ସ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ୨୫ରୁ ଊର୍ଦ୍ଧ୍ୱ ରାଷ୍ଟ୍ରାଧ୍ୟକ୍ଷ ତଥା ୧୦୦ରୁ ଊର୍ଦ୍ଧ୍ୱ ଦେଶର ୩୫ ହଜାରରୁ ଅଧିକ ପ୍ରତିନିଧିଙ୍କ ସହଭାଗିତାରେ ଏହି ସମ୍ମିଳନୀ ବିଶ୍ୱର ଏକ ପ୍ରମୁଖ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀ ପାଲଟିଥିଲା ।

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପରିକଳ୍ପିତ ‘ପରମ ବୁଦ୍ଧିମତ୍ତା ସଂସ୍ଥାନ’ଠାରୁ ପ୍ରେରଣା ନେଇ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କିଭଳି ବୈଷୟିକ ଶିକ୍ଷାରେ ନୂତନତ୍ୱକୁ ମାନବୀୟ ମୂଲ୍ୟବୋଧ ସହ ଯୋଡ଼ି ଅଗ୍ରସର ହେଉଛି, ପ୍ରଫେସର କୁଲକର୍ଣ୍ଣୀ ତାହା ପୁନର୍ବାର ପ୍ରମାଣିତ କରିଥିଲେ ।

Leave a Reply

Your email address will not be published. Required fields are marked *