ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ

– ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

– “ମହାପ୍ରଭୁଙ୍କ ଜମିର ସୁରକ୍ଷା ଆମର ନୈତିକ ଦାୟିତ୍ବ” – ରାଜସ୍ୱ ସଚିବ

– ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତ୍ତି

– ରାଜସ୍ୱ ବିଭାଗରେ ଖୋଲା ହେବ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ (ଶ୍ରୀ ଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ୍ ସେଲ୍)

ଭୁବନେଶ୍ୱର,୧୯/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର । ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢୀ ।  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ ଲୋକସେବା ଭବନରେ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ରାଜସ୍ୱ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ବନ୍ଧରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ବୈଠକରେ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ୍ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ଡ. ପାଢୀ ଗୁରୁତ୍ବ ଦେଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ୍ ତଥା ଜାତୀୟ ଏବଂ ରାଜ୍ୟ ରାଜପଥ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଜମିଜମାକୁ ଅବୈଧ ଦଖଲରୁ ମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି ।

 ପ୍ରତ୍ୟେକ ମାସର ପ୍ରଥମ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।  ଏଥିସହିତ ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ତଥା ପରିଚାଳନାକୁ ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ବା ଲ୍ୟାଣ୍ଡ୍ ସେଲ୍ ଅବସ୍ଥାପିତ କରାଯିବା ନିମନ୍ତେ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ପରିପ୍ରେକ୍ଷୀରେ ଆଗକୁ ମଧ୍ୟ ବିଭିନ୍ନ ସମୟରେ ରାଜସ୍ୱ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ୍ୟ ସ୍ତରୀୟ ବୈଠକ ସହିତ ଅନ୍ୟ ଜିଲ୍ଲାରେ ସମୀକ୍ଷା ବୈଠକ କରାଯିବ ବୋଲି ଡ. ପାଢୀ ଗୁରୁତ୍ବ ଦେଇଛନ୍ତି ।

ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଶ୍ରୀ ଦେବବ୍ରତ ସାହୁ, ରାଜସ୍ୱ ବିଭାଗର ଭୂସଂସ୍କାର ଶାଖାର ବରିଷ୍ଠ ଅଧିକାରୀବୃନ୍ଦ, ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ ଉପସ୍ଥିତ ଥିଲେ ।

-0-

ଅଂଶୁମାନ ସାହୁ ,ଲୋକସମ୍ପର୍କ ଅଧିକାରୀ ,ରାଜସ୍ୱ ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *