ଢ଼େଙ୍କାନାଳ,୧୯/୦୨/୨୦୨୬(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ରବି ଫସଲ ୨୦୨୫-୨୬ ନିମନ୍ତେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଖରିଫ୍ ଋତୁରେ ବିଭିନ୍ନ ଫସଲ ପାଇଁ ୧୭୨୪୦୦ ହେକ୍ଟର ଜମି ଧାର୍ଯ୍ୟ କରାଯାଇଥିବା ବେଳେ ୧୬୫୫୨୨ ହେକ୍ଟର ଜମିରେ ଏହି ଚାଷ କରାଯାଇଥିବା ସେ ସୂଚନା ଦେଇଥିଲେ।
ରବି ଋତୁ ୨୦୨୫-୨୬ ରେ ଧାନ ଚାଷ ପାଇଁ ୧୪୦ ହେକ୍ଟର, ଅନ୍ୟାନ୍ୟ ଶସ୍ୟ ଜାତୀୟ ପାଇଁ ୧୯୮୦ ହେ., ଡ଼ାଲି ଜାତୀୟ ପାଇଁ ୬୩୩୦୦ ହେ.,ତୈଳବୀଜ ପାଇଁ ୧୯୮୫୦ ହେ., ପନିପରିବା ପାଇଁ ୧୮୮୦୦ ହେ.,ମସଲା ଜାତୀୟ ପାଇଁ ୬୦୫୦ ହେ. ଏବଂ ଆଖୁ ଚାଷ ପାଇଁ ୯୫୦ ହେକ୍ଟର ଜମି ଏହିପରି ସମୁଦାୟ ୧୧୧୦୭୦ ହେକ୍ଟର ଜମି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହି ସବୁ ଚାଷ କାର୍ଯ୍ୟରେ ସମୁଦାୟ ୪୩୦୦ ମେଟ୍ରିକ୍ ଟନ୍ ର ବିଭିନ୍ନ ସାର ବ୍ୟବହାର କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାରେ ଶ୍ରୀ ଅନ୍ନ ଅଭିଯାନ ଓ ଉନ୍ନତ ଆଖୁ ଉତ୍ପାଦନ ଉପରେ ଅଧିକ ଫୋକସ୍ କରାଯାଇଛି ।
ପାରମ୍ପାରିକ ସାର ବ୍ୟବହାର ସହିତ ଉନ୍ନତ କୃଷି ସରଞ୍ଜାମ ବ୍ୟବହାର କରାଯାଇ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ରବି ଫସଲ ପାଇଁ ବିଭିନ୍ନ ଉତ୍ସ ମାଧ୍ୟମରେ ୪୪୯୧୬ ହେକ୍ଟର ଜମିକୁ ଜଳସେଚନ କରାଯିବ ବୋଲି ୱାଟରସେଡ୍ ର ପି.ଡ଼ି. ଶ୍ରୀ ସନତ କୁମାର ନାୟକ ପ୍ରକାଶ କରିଥିଲେ । ହର୍ଟିକଲଚ଼ର ର ଡ଼ି.ଡ଼ି. ଶ୍ରୀ ଦେବ ପ୍ରକାଶ ରାଉତରାୟ ରବିରେ ହେବାକୁ ଥିବା ଉଦ୍ୟାନ ଭିତ୍ତିକ ଚାଷ କାର୍ଯ୍ୟ ସଂପର୍କରେ ସୂଚ଼ନା ଦେଇଥିଲେ । ଡ଼ି.ଡ଼ି., ପ୍ଲାନିଙ୍ଗ ଶ୍ରୀ ରାଜ ବଲ୍ଲଭ କର ଶସ୍ୟ ଅମଳର ଯୋଜନା ପ୍ରସ୍ତୁତ ସଂପର୍କରେ ଆଲୋଚନା କରିଥିଲେ।
ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ରଂଜନ ସାହୁ, ସମସ୍ତ ବ୍ଲକର କୃଷି ଅଧିକାରୀମାନେ, ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
