ବାଲିଗୁଡା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଲଟା ବୁଦାରେ ପରିପୂର୍ଣ୍ଣ : ଭଙ୍ଗାରୁଜା ଅବସ୍ଥାରେ ଘାଇ, ଚିନ୍ତାରେ ଚାଷୀ

ବାଲିଗୁଡା,୧୨/୯/୨୦୨୪(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧିନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇ ଗୁଡ଼ିକର ରକ୍ଷଣା ବେକ୍ଷଣ ଅଭାବରୁ ଭଙ୍ଗାରୁଜା ଅବସ୍ଥାରେ ରହିଥ‌ିବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀ ମାନେ ଅଭିଯୋଗ କରି ଚିନ୍ତାରେ ରହିଛନ୍ତି । ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ୧୨ଟି ଘାଇ । କିନ୍ତୁ ଘାଇ ଗୁଡ଼ିକର ନିୟମିତ ରକ୍ଷଣା ବେକ୍ଷଣ ଅଭାବରୁ ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁଡୁବାଲି ଓ ବାଲିଗୁଡା ସହରରେ ଥିବା  ଜାପିମାସ୍କା ଘାଇ ଭଗ୍ନ ଅବସ୍ଥାରେ ରହିଛି । କେନାଲ ସାହାଯ୍ୟରେ ଜଳସେଚନ ହୋଇପାରୁନି । ସେହିଭଳି ଚାଙ୍ଗୁରବାଲି ଘାଇରେ ମଧ୍ୟ କେନାଲ ଭାଙ୍ଗି ରାସ୍ତା ଉପରେ ପାଣି ଯାଉଛି । ତୁମୁଡିବନ୍ଧ ବ୍ଲକ ଲାଲିଆଚଞ୍ଚୁଡ ଘାଇ ଟିର କାମ ଅଧାପନ୍ତରିଆ ଅବସ୍ଥା ରହିଥ‌ିବା ବେଳେ କୋଟଗଡ ବ୍ଲକରେ ମଧ୍ୟ ଗୋଟିଏ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି। କ.ନୂଆଗାଁ ବ୍ଲକରେ ବିଲାବାଡି, ଗୁଇବନ୍ଧା ,ଫୁଜିବାଡି, କଟାରୀ, ସାରଙ୍ଗଡ ଓ ସିର୍ତିଗୁଡା ଗ୍ରାମର ୭ଟି ଘାଇ ରହିଛି। ସମସ୍ତ ଘାଇ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାରୁ ବିଲକୁ କେନାଲ ସାହାଯ୍ୟରେ ପାଣି ଯାଇପାରୁନାହିଁ । ଫଳରେ ଚାଷକାର୍ଯ୍ୟରେ ବାଧା ଉପୁଜୁଛି ।

ନିୟମିତ ପାଣି ମିଳୁନଥିବାରୁ ବାଲିଗୁଡା ଉପଖଣ୍ଡ ଅଞ୍ଚଳର ଚାଷୀ ମାନେ ବାଧ୍ୟ ହୋଇ କେବଳ ବର୍ଷା ଦିନିଆ ଚାଷ କରୁଛନ୍ତି । ବାଲିଗୁଡା କ୍ଷୁଦ୍ର ଜଳସେଚନ ଉପବିଭାଜନ, ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସର ଲଟାବୁଦା ହୋଇ ଭୁତକୋଠି ପାଲଟି ଯାଇଛି । ଏକାଧିକ କର୍ମଚାରୀ ମାନଙ୍କର ବାସଭବନ ଗୁଡିକ ଭଗ୍ନ ଅବସ୍ଥାରେ ରହିଛି । ଏହି ଦାୟିତ୍ବରେ ଥିବା ବଲାଙ୍ଗୀର ସହକାରୀ ଯନ୍ତ୍ରୀ ମହେନ୍ଦ୍ର ଶତପଥୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଘାଇର ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ଆକଳନ କରି ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଇଛୁ । ତାହା ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପଟେ ଘାଇ ଗୁଡ଼ିକର ଶୀଘ୍ର ପୁନରୁଦ୍ଧାର କରି କେନାଲ ସାହାଯ୍ୟରେ ଜମିକୁ ଜଳଯୋଗାଣ କରିବାକୁ ଚାଷୀ ମହଲରୁ ପ୍ରବଳ ଦାବି ହେଉଛି ।

Leave a Reply

Your email address will not be published. Required fields are marked *