ଗରଦପୁର, ୧୪/୦୬/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ର ଜଣେ ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ ଚନ୍ଦ୍ର ଦାସ ଙ୍କର ଶୁକ୍ରବାର ସକାଳେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ରେ ପରଲୋକ ଘଟିଛି । ମୃତ୍ୟୁ ସମୟକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ବର୍ଷ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ । ମୃତ୍ୟୁ ସମୟରେ ତାଙ୍କ ୨ ପୁଅ, ବୋହୁ,ନାତି, ନାତୁଣୀ, ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ । ଉତ୍କଳ ହସପିଟାଲରୁ ତାଙ୍କ ମର ଶରୀରକୁ କଳିଙ୍ଗବିହାର ସ୍ଥିତ ବାସଭବନକୁ ନିଆଯିବା ପରେ ବହୁ ଲୋକ , ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ଼ ପୁଅ ରଂଜନ କୁମାର ଦାସ ମୁଖାଗ୍ନୀ ଦେଇଥିଲେ ।
ସେ ଜଣେ ଭଲ ଇଂରାଜୀ ଶିକ୍ଷକ ଭାବେ ଅଂଚଳରେ ବେଶ୍ ଜଣାଶୁଣା ଥିଲେ । ତେଣ୍ଡାକୁଡ଼ା ଫଜଲହକ୍ ହାଇସ୍କୁଲ ରେ ଶିକ୍ଷକତା ଆରମ୍ଭ କରିଥିଲେ ଓ ଅଳ୍ପ କିଛି ସମୟ ପାଇଁ ମଧ୍ୟ ପ୍ରଧାନ ଶିକ୍ଷକ ଥିଲେ । ପରେ ସେ ବିଭିନ୍ନ ହାଇସ୍କୁଲ ରେ ଶିକ୍ଷକତା କରି ବଣିତୋ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଥିବାବେଳେ ଅବସର ଗ୍ରହଣ କରିଥିଲେ । ସେ ଅତ୍ୟନ୍ତ ଅମାୟିକ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ତାଙ୍କର ବହୁ ଛାତ୍ର ବିଭିନ୍ନ ଉଚ ପଦବଦବୀରେ ଏବେବି କାର୍ଯ୍ୟରତ ଅଛନ୍ତି ।
ପ୍ରଫୁଲ ସାରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ପ୍ରଫୁଲ ସାରଙ୍କ ପରଲୋକ ଖବର ପାଇ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଫଜଲହକ୍ ସରକାରୀ ହାଇସ୍କୁଲ ର ପଂଚଶିକ୍ଷା ଶିକ୍ଷା ସେତୁ (ମୋ ସ୍କୁଲ) କମିଟିର ସଭାପତି ଡ଼ ଅମରେନ୍ଦ୍ର ନାଥ ମହାନ୍ତି , ପୁରାତନ ବିଦ୍ୟାର୍ଥି ପରିଷଦର ସଭାପତି ଗୌରଚନ୍ଦ୍ର ଦାସ, ପୂର୍ବତନ ସଭାପତି ମନମୋହନ କାନୁନଗୋ,ପୂର୍ବତନ ସଭାପତି ଡ଼ାକ୍ତର ହଲିମ ଖାଁ, ସାଧାରଣ ସମ୍ପାଦକ ଦେବକୀ ନନ୍ଦନ ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ପ୍ରଫେସର ଡ଼ ସରୋଜ କୁମାର ମହାନ୍ତି ,ପ୍ରତିଭା ଦାସ, ନୃସିଂହ ପ୍ରସାଦ ଦାସ,ନୃସିଂହ ଚରଣ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।