ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏନ୍ତୁଡିଶାଳ ପାରଳାଖେମୁଣ୍ଡିରେ ଓଡିଆ ଅସ୍ମିତାକୁ ହତ୍ୟା

ଆନ୍ଧ୍ରରେ ତିଆରି ଯୋଗୁଁ ପାରଳାଖେମୁଣ୍ଡିକୁ ବିକୃତ ଭାବେ ଲେଖା ଯାଇଛି
ପାରଳାଖେମୁଣ୍ଡି,୧୯/୦୨/୨୦୨୬ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା) : ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏନ୍ତୁଡିଶାଳ ପାରଳାଖେମୁଣ୍ଡିରେ ଓଡିଆ ଅସ୍ମିତାକୁ ସିଧାସଳଖ ହତ୍ୟା କରାଯାଇଥିବା ଦେଖା ଦେଇଛି । ଓଡ଼ିଆ ଭାଷାର ବ୍ୟାନରକୁ ଆନ୍ଧ୍ରରେ ତିଆରି କରିବା ଯୋଗୁଁ ପାରଳାଖେମୁଣ୍ଡିକୁ ବିକୃତ ଭାବେ ପର୍ଲେଖାମୁଣ୍ଡି ବୋଲି ଲେଖାଗଲା । ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ଘଟଣାରୁ ପ୍ରକାଶ ଗତକାଲି ସନ୍ଧ୍ୟା ଠାରୁ ଜିଲ୍ଲାସ୍ତରୀୟ ଶୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି ।ଏହି ମେଳା ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ ଜାକଜକମରେ ଅନୁଷ୍ଠିତ ହେଉଛି । ତଥାପି ମେଳାରେ ଦର୍ଶକଙ୍କ ଅଭାବ ଯୋଗୁଁ ଚେୟାର ଗୁଡିଖ ଖାଲି ରହିଥିବାର ଦେଖିବାକୁ ମିଳିଛି । ଏଥିରେ ଲଗାଯାଇଥିବା ବ୍ୟାନର ଆନ୍ଧ୍ରରେ ତିଆରି କରାଯାଇଥିବା ଯୋଗୁଁ ଐତିହାସିକ ସହର ପାରଳାଖେମୁଣ୍ଡି ନାମ ବଦଳରେ ‘ପର୍ଲେଖାମୁଣ୍ଡି’ ମୁଦ୍ରିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ସାମାନ୍ୟ ଭୁଲ ରହିଥିଲେ ତାହା ଅଲଗା କଥା । ହେଲେ ଏହି ଐତିହାସିକ ସହରର ନାମକୁ ସମ୍ପୂର୍ଣ୍ଣ ବିଚିତ୍ର ଓ ବିକୃତ ଭାବେ ଲେଖାହୋଇଛି । ଯାହାକୁ ନେଇ ସହରର ବିଭିନ୍ନ ମହଲରେ ନାନାଦି ଆଲୋଚନା ହେବା ସହ ଅସନ୍ତୋଷ ବୃଦ୍ଧି ପାଇଛି । ଏପରି ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ଯେଉଁ ବ୍ୟକ୍ତି ବ୍ୟାନର ମୁଦ୍ରଣ ଦାୟିତ୍ବରେ ରହିଛନ୍ତି , ସେ ସମ୍ଭବତଃ ଆନ୍ଧ୍ରରେ ମୁଦ୍ରଣ କରିଛନ୍ତି । କାରଣ ଆନ୍ଧ୍ରରେ କମ୍ ଖର୍ଚ୍ଚରେ ବ୍ୟାନର ତୟାର ହେଉଛି । ଓଡିଶା ତଥା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମୁଦ୍ରଣ କରିଥିଲେ ଅନ୍ତତଃ ଏହାକୁ ଛପାଉଥିବା ଦୋକାନୀ ଜଣକ ସିଧାସଳଖ ଏପରି ତ୍ରୁଟିପୂର୍ଣ୍ଣ ବନାନକୁ ଜାଣିପାରନ୍ତା ।

ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଦାୟିତ୍ବରେ ଥିବା ଅଧିକାରୀ ଅର୍ଥ ଲୋଭରେ ଆନ୍ଧ୍ରରେ ଏପରି ମୁଦ୍ରିତ କରିଥିବା ଆଲୋଚନା ହେଉଥିବା ବେଳେ ଏପରି ଘୋର ତୃଟିପୂର୍ଣ୍ଣ ଲେଖାକୁ ନେଇ ଜିଲ୍ଲା ପ୍ରଶାସନ କ୍ଷମା ମାଗନ୍ତୁ ଏବଂ ଏହାକୁ ସଜାଡନ୍ତୁ ବୋଲି ଦାବି ହୋଇଛି । ଅନ୍ୟପକ୍ଷରେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ଭାଷାର ସ୍ଥିତିରେ ସୁଧାର ଆସିବା ବଦଳରେ ଅଧିକ ନିମ୍ନଗାମୀ ହୋଇଥିବା ଅଭିଯୋଗ ହୋଇଛି । ସ୍ବତନ୍ତ୍ର ପ୍ରଦେଶ ଗଠନ ବେଳେ ଯେଉଁ ସବୁ ଅଞ୍ଚଳ ଓଡିଶା ବାହାରେ ରହିଯାଇଥିଲା ସେହି ଅଞ୍ଚଳର ଓଡିଆମାନେ ନିଜର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଏପରି ସ୍ଥିତିରେ ଗୋଟିଏ ପଟେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ସୁରକ୍ଷା ମିଳୁଥିବା ବେଳେ ଉପାନ୍ତରେ ଭାଷାର ସ୍ଥିତି ଦୟନୀୟ ।

ଏହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଗଜପତି ବିଚିତ୍ରା ନନ୍ଦ ବେବର୍ତ୍ତା କହିଛନ୍ତି ଯେ ସରକାର ଓଡିଆ ଅସ୍ମିତାର କଥା କହୁଛନ୍ତି । ହେଲେ ଉପାନ୍ତ ଅଞ୍ଚଳ ତଥା ଓଡିଶା ପ୍ରଦେଶ ଗଠନର ଏନ୍ତୁଡି ଶାଳରେ ଏପରି ଲେଖିବା ଠିକ୍ ନୁହେଁ । ନାରୀ ଶସକ୍ତିକରଣ ପାଇଁ ନେଉଥିବା ପଦକ୍ଷେପ ପ୍ରଶଂସନୀୟ ହୋଇଥିବା ବେଳେ ଏପରି ଅପଭ୍ରଂଶ ଶବ୍ଦ ଲେଖିବା ଠିକ୍ ନୁହଁ । ଏପରି ଶବ୍ଦ ମା ମାଟି ମାତୃଭୂମୀ ପାଇଁ ଅପମାନଜନକ ଶବ୍ଦ ବୋଲି ଅନୁଭବ କରାଯାଉଥିବାର କହିଛନ୍ତି ।

Leave a Reply

Your email address will not be published. Required fields are marked *