ଭଞ୍ଜନଗର,୦୧/୦୯/୨୦୨୫(ଓଡ଼ିଶା ସମାଚାର)- ଭଞ୍ଜନଗର ବନ ବିଭାଗ କୁ ମିଳିଛି ଏକ ବଡ଼ ସଫଳତା । ଏକ ଆନ୍ତଃରାଜ୍ୟ ବାଘ ଛାଲ ଲୁଟେରା ଗ୍ୟାଙ୍ଗକୁ ମାଡ଼ି ବସିଛି ବନ ବିଭାଗ । ବିକ୍ରି ହେବା ପୂର୍ବରୁ ଏକ କଲରାପତରିଆ ଛାଲ ସହ ୫ଟି ମୋବାଇଲ ଓ କିଛି କଟୁରୀ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ଅବସରପ୍ରାପ୍ତ ପୁଲିସ ଏଏସଆଇଙ୍କ ସମେତ ମୋଟ୍ ୭ଜଣକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଭଞ୍ଜନଗର ଉତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜର ବେଲଗୁଣ୍ଠା ନିକଟ ଗୁଣ୍ଡୁରିବାଡ଼ି ଗ୍ରାମର ବାବାଜୀ ସୁରେନ୍ଦ୍ର ପ୍ରଧାନ ଏହି କଲରାପତରିଆ ବାଘ ଛାଲକୁ ନିଜ ଘରେ ପୂଜା କରୁଥିବା ବେଳେ ବନ କର୍ମଚାରୀମାନେ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ ।
ବାଘ ଛାଲ, କଟୁରୀ ଓ କିଛି ପୂଜା ସାମଗ୍ରୀ ଜବତ କରାଯିବା ସହ ବାବାଜୀ ସୁରେନ୍ଦ୍ର ପ୍ରଧାନ, ତାଙ୍କ ପୁଅ ଲକ୍ଷ୍ମଣ ପ୍ରଧାନ ଓ ପନ୍ତୀଖାରୀ ଗ୍ରାମର ସୁଶାନ୍ତ ଡାକୁଆ (ଚେଲା)ଙ୍କୁ ଧରିଥିଲେ । ଏହା ପରେ ସେମାନଙ୍କ ସୂଚନା ଅନୁସାରେ ଭଞ୍ଜନଗର ସହରର ଏକ ଲଜ୍ ରେ ଥିବା ମାଷ୍ଟର ମାଇଣ୍ଡ ଗଜପତି ଜିଲା ରାମଗିରି ବେଦିଙ୍ଗି ଗ୍ରାମର ଅବସରପ୍ରାପ୍ତ ଏଏସଆଇ ଖଲି ଚରଣ ଜାନୀଙ୍କ ସମେତ ରାମଗିରି ଇଲାକାର ଅନଙ୍ଗ ଗାଁର ବିିନ ଚନ୍ଦ୍ର ପ୍ରଧାନ ଓ ମୋହନା ଗୋଛାଗୁଡ଼ାର କ୍ଷେତ୍ରୀୟ ମଳିକ ଏବଂ ଗଞ୍ଜାମ ଜିଲା ପୁରୁଷୋତମପୁରର ତ୍ରିନାଥ ବିଶ୍ୱାଳଙ୍କୁ ବନ ବିଭାଗ ଗିରଫ ପକ୍ଷରୁ କରାଯାଇଥିବା ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି ।
ଜବତ କଲରାପତରିଆ ବାଘ ଛାଲର ଲମ୍ବ ୭ ଫୁଟ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ଡିଏଫଓ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ବନଖଣ୍ଡର ଏସିଏଫ ବିବେକ ଦାଶ ଓ ବିମଳ ପ୍ରଧାନ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ,ରେଞ୍ଜର ପୃଥିବୀରାଜ ପ୍ରଧାନ,ବନପାଳ ଅନୁ କୁମାର ବିଷୋୟୀଙ୍କ ସମେତ ବହୁ ବନ କର୍ମଚାରୀ ସାମିଲ ଥିଲେ । ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଓ ପୁଲିସ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ ।
