ବରିଷ୍ଠ ସାମ୍ବାଦିକ ପ୍ରବୋଧ ବସ୍ତିଆଙ୍କ ପରଲୋକ

 କଟକ, ୧୮/୦୨/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା) ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ପ୍ରବୋଧ କୁମାର ବସ୍ତିଆ (୬୨)ଙ୍କ ପରଲୋକ ହୋଇଯାଇଛି। ସେ ଗତ ୨୦୨୧ ମସିହାରେ କର୍କଟ ରୋଗ ରେ ପୀଡ଼ିତ ହୋଇ ଏମ୍‌ସରେ ଚିକିତ୍ସିତ ହୋଇ ସୁସ୍ଥ ଥିଲେ। ତେବେ ଗତ ଜୁଲାଇ ମାସରେ ସଂକ୍ରମଣ କାରଣରୁ ପୁନଃ କର୍କଟର ଲକ୍ଷଣ ଦେଖାଦେବାରୁ ତାଙ୍କର କେମୋ ଚିକିତ୍ସା ଚାଲୁଥିଲା। ଗତ ଡିସେମ୍ବର ପ୍ରଥମ ସପ୍ତାହରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ସେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଏକମାତ୍ର କନ୍ୟା ଓ ସଂପର୍କୀୟ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯାଇଛି।

କଟକ ଜିଲ୍ଲା ନରସିଂହପୁର ବ୍ଲକ ହରିପୁର ଗ୍ରାମରେ ୧୯୬୪ ମସିହାରେ ଜନ୍ମିତ ପ୍ରବୋଧ ଭୁବନେଶ୍ୱର କର୍ମସନ୍ଧାନରେ ଆସି ପ୍ରଥମେ କ୍ୱାଲିଟ୍‌ ପ୍ରେସ୍‌ରେ ମ୍ୟାନେଜର ଭାବେ କାମ କରିଥିଲେ। ପରେ ଜଣେ ପ୍ରୁଫ୍‌ରିଡର ଭାବେ ଦର୍ଶନ, ଦୈନିକ ସମୟ, ଓଡ଼ିଶା ଏକ୍ସପ୍ରେସ୍‌ରେ କାମ କରିବା ପରେ ଧରିତ୍ରୀରେ ସହ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ପରେ ନିତିଦିନ, ପ୍ରମେୟରେ କାମ କରିବା ପରେ ଏହି କିଛି ଦିନ ହେବ ଓଡ଼ିଶା ସାହିତ୍ୟ ଏକାଡେମୀରେ ପ୍ରୁଫ୍‌ରିଡର ଭାବେ କାର୍ଯ୍ୟ କରୁଥିଲେ। ଜଣେ ପ୍ରସିଦ୍ଧ ପ୍ରୁଫ୍‌ରିଡର ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ଓ  ପ୍ରତିଭା ରାୟଙ୍କ ଅଧିକାଂଶ ବହିର ସେ ପ୍ରୁଫ୍‌ ସଂଶୋଧନ କରିଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *