ସଙ୍କୁଚିତ ରାସ୍ତାରେ ଦୁର୍ଘଟଣାକୁ ଆମନ୍ତ୍ରଣ
କେନ୍ଦ୍ରାପଡ଼ା, ୨୯/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତା ତିନିମୁହାଣି ଛକରୁ ଇଛାପୁର ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବାଲି, ଗୋଡି ପ୍ରଭୃତି ଗଦା କରାଯାଇ କେଉଁଠି ବେପାର କରାଯାଇଛି ତ ଆଉ କେଉଁଠି ଗୃହ ନିର୍ମାଣ କରାଯାଉଛି । ଫଳରେ ସହରର ମୁଖ୍ୟ ରାସ୍ତା ସଂକୁଚିତ ହେବା ସହ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି । ପ୍ରବଳ ଖରାରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ରାସ୍ତାରେ ଯାଉଥିବା ବେଳେ ଏଭଳି ଭାବରେ ରାସ୍ତା ଉପରେ ଗୋଡି ଓ ବାଲି ଗଦା କରାଯାଇ ରାସ୍ତାକୁ ସଂକୁଚିତ କରାଯାଇଥିବାରୁ ବହୁ ସମୟରେ ଲୋକମାନେ ଦୁର୍ଘଟଣାର ଶୀକାର ହୋଇ ବହୁ ମୂଲ୍ୟବାନ ଜୀବନ ହରାଉଥିବା ଦେଖାଯାଉଛି । ପ୍ରଶାସନ ସବୁ ଦେଖିବି ନଦେଖିବାର ଅଭିନୟ କରୁଛି ।
ଏହି ମୁଖ୍ୟ ରାସ୍ତାର ବିଦୁ୍ୟତ କାର୍ଯ୍ୟାଳୟ ଠାରୁ ଅର୍ବାନ ବ୍ୟାଙ୍କ ମଧ୍ୟରେ ରାସ୍ତା ଉପରେ ବାଲି ଓ ଗୋଡି ଗଦା ହୋଇ ରହିଛି । ଫଳରେ ରାସ୍ତା ଅବରୋଧ ହେବା ସହ ଲୋକମାନଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହେଉଛି । ସେହିଭଳି ଉଦୟନଗର ଧନିଛକରୁ କଜଲା ମହାଦେବ ରାସ୍ତାର କେନ୍ଦ୍ରାପଡା କଲେଜ ଗେଟ ସମ୍ମୁଖରେ ମଧ୍ୟ ବାଲି ଓ ଗୋଡି ରାସ୍ତା ଉପରେ ଗଦା ହୋଇଥିବା ଦେଖାଯାଇଛି । ସେହି ରାସ୍ତାରେ ଗଦା ହୋଇଥିବା ବାଲିରେ ଦୁଇଚକିଆ ଯାନର ଚକା ସ୍ଲିପ କରି ଦୁଇଜଣ ଦୁର୍ଘଟଣା ଗସ୍ତ ହୋଇଛନ୍ତି । ଏହାବ୍ୟତିତ ୫୩ନମ୍ବର ଜାତୀୟ ରାଜପଥରୁ କଜଳା ରାସ୍ତାରେ କଜଳା ମହାଦେବଙ୍କ ଆଡକୁ ଆସିବା ବେଳେ ସରକାରୀ ଜମି ଉପରେ ପ୍ରାୟ ୫୦ଟ୍ରିପ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି ।
ସେଠାରେ ଜଣେ ବ୍ୟକ୍ତି ଏହି ବାଲି ରଖି ବ୍ୟବସାୟ କରୁଥିବା ଦେଖାଯାଇଛି । ଏସବୁ ସମସ୍ୟା ସମ୍ପର୍କରେ କେନ୍ଦ୍ରାପଡା ତହସିଲଦାର ଓ ଉପଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ୨ମାସରୁ ଉଦ୍ଧ୍ୱର୍ ହେବ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସ୍ଥାନୀୟ ଅଧିବାସୀ ଓ ପଥଚାରୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ତହସିଲଦାର କୁଇନି ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ସରକାରୀ ଜମି ଜବରଦଖଳ ମୁକ୍ତ ହେବ । ଅବରୋଧ ହଟାଯାଇ ଚାରିପଟେ ତାରବାଡ ଦିଆଯିବା ସହ ସାଇନବୋର୍ଡ ମରାଯିବ । ସହରଠାରୁ ଆରମ୍ଭ କରି ଗ୍ରାମାଂଚଳ ଯାଏଁ ସବୁଠି ସରକାରୀ ଜମି ଜବରଦଖଲ ମୁକ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । କିନ୍ତୁ ଏହା କେବଳ ଘୋଷଣାରେ ସୀମିତ ରହିଥିବା ଦେଖିବାକୁ ମିଳିଛି । ରାସ୍ତା ବା ସରକାରୀ ଜମିକୁ ଜବରଦଖଲ କରାଯାଇ ସେଠାରେ ବାଲି ଗୋଡି ପ୍ରଭୃତି ଜମାକରି କିଏ ବ୍ୟବସାୟ କରୁଛି ତ ଆଉ କିଏ ଗୃହ ନିର୍ମାଣ କରୁଛି । ଏସବୁ ଦେଖି ବି ତହସିଲଦାର ନୀରବ ରହିବା ପଛରେ କାରଣ କଣ ତାହା ଜଣାପଡୁନାହିଁ?
