ବିଜୁଳି ସମସ୍ୟା ଉପରେ ଜନ ଅଭିଯୋଗ ଦାଖଲ ପାଇଁ ଓଇଆରସିର ବିଜ୍ଞପ୍ତି ତାରିଖ ଅଗଷ୍ଟ ୧୬ ପରିବର୍ତେ ୩୧କୁ ଘୁଞ୍ଚାଇବାକୁ ରାଜ୍ୟ ବିଦୁ୍ୟତ ଉପଭୋକ୍ତା ମହାସଂଘର ଦାବି

ଭୁବନେଶ୍ୱର,୧୩/୦୮/୨୦୨୫ (ଓଡ଼ିଶା ସମାଚାର)- ଗତ ଜୁଲାଇ ୧୮ ତାରିଖ ଦିନ ବିଜୁଳି ସମସ୍ୟା ନେଇ ଜନ ଅଭିଯୋଗ ଦାଖଲ କରିବା ପାଇଁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟମାକ ଆୟୋଗ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାକୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ସ୍ୱାଗତ କରୁଛି । କିନ୍ତୁ ଆସନ୍ତା ଅଗଷ୍ଟ ୧୬ ତାରିଖ ସୁଦ୍ଧା ଅଭିଯୋଗ ଗୁଡ଼ିକ ଦାଖଲ ପାଇଁ ଆୟୋଗ ଯେଉଁ ବିଜ୍ଞପ୍ତି ଦେଇଛନ୍ତି, ତାହାକୁ ଅନ୍ତତଃ ଅଗଷ୍ଟ ୩୧ତାରିଖକୁ ଘୁଞ୍ଚାଇବାକୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ବୁଧବାର ଏକ ପତ୍ର ମାଧ୍ୟମରେ ଆୟୋଗଙ୍କ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି ।

ମହାସଂଘର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନଗୋ ଓ ସମ୍ପାଦକ ରବି ବେହେରା ଆୟୋଗର ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କୁ ପତ୍ର ମାଧ୍ୟମରେ ଦର୍ଶାଯାଇଛନ୍ତି ଯେ, ବର୍ତମାନ ଚାଷବାସ କାମ ତଥା ଚାଷୀ ପଞ୍ଜିକରଣ ଚାଲୁଥିବାରୁ ସାଧାରଣ ଲୋକମାନେ ବହୁତ ବ୍ୟସ୍ତରେ ଅଛନ୍ତି । ଏହା ବ୍ୟତୀତ ଚଳିତମାସରେ ଗଣପର୍ବ ରକ୍ଷା ବନ୍ଧନ, ଜନ୍ମାଷ୍ଟମୀ, ଗଣେଶ ପୂଜା ଓ ନୂଆଖାଇ ପାଳିତ ହେଉଅଛି । ତେଣୁ ଏସବୁକୁ ଆଖି ଆଗରେ ରଖି ବିଜୁଳି ସମସ୍ୟା ସମ୍ପର୍କିତ ଅଭିଯୋଗ ଦାଖଲ ତାରିଖକୁ ଅଗଷ୍ଟ ୧୬ ପରିବର୍ତେ ଅଗଷ୍ଟ ୩୧କୁ ଘୁଞ୍ଚାଇବାକୁ ପତ୍ର ମାଧ୍ୟମରେ ଶ୍ରୀ କାନନୁଗୋ ଓ ଶ୍ରୀ ବେହେରା ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଥାଉକି, ମାନ୍ୟବର ଆୟୋଗ ଅଗଷ୍ଟ ୧୬ ତାରିଖ ସୁଦ୍ଧା ଅଭିଯୋଗ ଗୁଡ଼ିକ ଗ୍ରହଣ କରି ଅଗଷ୍ଟ ୨୯ ତାରିଖରେ ଅଭିଯୋଗର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *