ଓଡିଶା ଗଣ୍ଡ ସାଂସ୍କୃତିକ ସମାଜର ପଞ୍ଚମ ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ସଭା ଓ ବନ୍ଧୁମିଳନ ଅନୁଷ୍ଠିତ

ଭୁବନେଶ୍ୱର,୦୮/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗଣ୍ଡ ସାଂସ୍କୃତିକ ସମାଜ, ଓଡ଼ିଶାର ପଞ୍ଚମ ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ମଞ୍ଚେଶ୍ୱରସ୍ଥିତ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠାନ ପରିସରରେ ସଫଳତାର ସହ ଆୟୋଜିତ ହୋଇଛି। ଅବସରପ୍ରାପ୍ତ ପିସିସିଏଫ ତଥା ସମାଜର ସଭାପତି ଡ଼. ଖଗେଶ୍ୱର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ   ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ଆଦିବାସୀ ଓ ହରିଜନ ତଥା ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ  ନିଜ ଅଭିଭାଷଣରେ ସମସ୍ତ ସମାଜର ସମସ୍ତ ଭାଇ-ଭଉଣୀଙ୍କୁ ଏକତ୍ରିତ ହୋଇ ସମାଜ ଓ ଜାତିର ସାମଗ୍ରିକ ବିକାଶରେ ଯୋଗଦାନ କରିବାକୁ ଆହ୍ୱାନ ଜଣାଇଥିଲେ।

 ଅନ୍ୟାନ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାୟକ, ଶ୍ରୀଯୁକ୍ତ ଜଗନ୍ନାଥ ନାୟକ (ପୂର୍ବତନ ବିଧାୟକ, ପାଟଣା–କେଉଁଝର), ଇଂ. କୈଳାସ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

 ଯୋଗେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଡ଼.ଖଗେଶ୍ୱର ନାୟକ ସମାଜ ଗଠନର ରୂପ ରେଖ ଓ ଭୂମିକା ଉପରେ ବିସ୍ତୃତ  ଉପସ୍ଥାପନ କରିଥିଲେ ।କରଞ୍ଜିଆର ସମ୍ପାଦକ ଗୋକୁଳ ଚନ୍ଦ୍ର ନାୟକ ମଧ୍ୟ  ମତବ୍ୟକ୍ତ କରିବା ସହ ନିଜର ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ବନ୍ଧୁମିଳନ ସହ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ମହିଳା, ଶିଶୁ ଓ କିଶୋରମାନଙ୍କ ପାଇଁ କୌତୁକିଆ ଓ ଆକର୍ଷଣୀୟ ଖେଳାକୁଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇ ସଭ୍ୟସଭ୍ୟାମାନଙ୍କ ମଧ୍ୟରେ ଏକତା, ସାମାଜିକ ସମନ୍ୱୟ ଓ ସଂସ୍କୃତି ସୁରକ୍ଷାର ସନ୍ଦେଶ ପ୍ରସାର କରାଯାଇଥିଲା । ସଦାନନ୍ଦ ନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ଅଶ୍ୱିନୀ କୁମାର ଭୋଇ ଓ ରାଜଲକ୍ଷ୍ମୀ ନାୟକ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *