ନିଶାମୁକ୍ତ ଗରଦପୁର ଗଠନ ପାଇଁ ଯୁବ ଶକ୍ତିକୁ ଆହ୍ୱାନ
ଗରଦପୁର ୦୮/୦୨/୨୦୨୬ (ଓଡ଼ିଶା ସମାଚାର)- ଯୁବ ଶକ୍ତିକୁ ସକ୍ରିୟ କରି ସମାଜ ଓ ରାଜ୍ୟର ସମଗ୍ର ଉନ୍ନତିର ପଥକୁ ସୁଦୃଢ଼ କରିବା ଲକ୍ଷ ନେଇ ଗରଦପୁର ଯୁବ ମହୋତ୍ସବ ଆଡ଼ମ୍ବର ଓ ଉତ୍ସାହର ସହ ଆରମ୍ଭ ହୋଇଛି । ଏହି ମହୋତ୍ସବରେ ଯୁବ ମାନଙ୍କୁ ସଚେତନତା , ସଂସ୍କୃତି ଓ ସ୍ୱାବଲମ୍ବୀ ଦିଗରେ ଆଗୁଆ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆଧୁନୀକତା ତାର ଆଧିପତ୍ୟ ବିସ୍ତାର କରିଥିବାବେଳେ ସଂସ୍କୃତି ହଜି ଯିବାକୁ ବସିଲାଣି । ଏବେକାର ଯୁବ ପିଢ଼ୀକୁ ଗରଦପୁର ମାଟିର ମହକ ଓ କଳାକୁ ପହଂଚାଇବା ପାଇଁ ଏହି ମହୋତ୍ସବ ଚଳିତ ବର୍ଷ ପ୍ରଥମ ଥର ଆରମ୍ଭ ହୋଇଥିବାବେଳେ ଆଜି ଗରଦପୁର ତହସିଲ ପଡ଼ିଆରେ ଉଦଘାଟିତ ହୋଇଯାଇଛି ।
ଯୁବ ଓଡ଼ିଶା ଫାଉଣ୍ଡେସନ୍ ର ସଭାପତି ତଥା ଗରଦପୁର ଯୁବ ମହୋତ୍ସବର ପ୍ରତିଷ୍ଠାତା ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଯୁବ ମହୋତ୍ସବରେ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଯୁବ ସମାଜକୁ ନିଶା ବିରୁଦ୍ଧରେ ସଚେତନଦ ହେବା ସହ ଦକ୍ଷତା ଆଧାରିତ ଜୀବନ ଗଠନ ପାଇଁ ଆହ୍ୱାନ ଜଣାଇଥିଲେ । ଉକ୍ରର୍ଷ ଭାରତ ପାଇଁ ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶୀଳ ଭାରତ ଗଠନ ଦିଗରେ ମନଯୋଗୀ ହେବା ସହ ସ୍ୱଦେଶି ଜ୍ଞାନ କୌଶଳରେ ନିଜର ବ୍ୟବସାୟ ଓ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଲୋକପାତ କରିଥିଲେ ।
ଏହି ଅବସରରେ ମଂଚ ଅଭିନେତା ତୁଷାର ଘୋଷ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅବସର ସେନା କର୍ମଚାରୀ ନୟନ ବଲଭ ନାୟକ୍ ଅତିଥି ମାନଙ୍କୁ ମଂଚକୁ ସ୍ୱାଗତ କରିଥିଲେ । ଉତ୍ସବରେ ମହୋତ୍ସବର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ନିଶା ମୁକ୍ତ ଗରଦପୁର ଗଠନ ଯୁବ ମହୋତ୍ସବ ଆୟୋଜନର ମୁଖ୍ୟ ବାର୍ତା ଭାବରେ ପ୍ରଚାର କରିଥିଲେ । ନିଶାମୁକ୍ତ ସମାଜ ଗଠନରେ ଏହି ମେଳା ଯୁବ ସମାଜକୁ ବର୍ତା ପ୍ରଦାନ କରିବ ବୋଲି ତେଜେଶ୍ୱର କହିଥିଲେ । ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲା ଉପସଭାପତି ବିଜୟ ନାୟକ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ପଣ୍ଡା, ଜିଲା ପରିଷଦ ସଦସ୍ୟ ଡ଼ଲି ଶତପଥି, ମଣ୍ଡଳ ସଭାପତି ଚିତରଂଜନ ଚୌଧୁରୀ, ସନ୍ତୋଷ ରାଉତରାୟ, ବିଜୟ କୁମାର ଜେନା ଙ୍କ ସମେତ ପୂର୍ବତନ ଜିଲା ପରିଷଦ ଜ୍ୟୋତ୍ସ୍ନାରାଣୀ ଜେନା, ସରପଂଚ ଅମିୟ ଜେନା, ସରପଂଚ ମାନସ ରାଉତ ପ୍ରମୁଖ ମଂଚାସୀନ ଥିଲେ । ଉତ୍ସବରେ ଅତିଥି ମାନଙ୍କୁ ଉତରୀୟ ସହିତ ଗଛ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଯୁବ ମହୋତ୍ସବରେ ଅଂଚଳର ସହସ୍ରାଧିକ ଯୁବକ ଯୁବତୀ ଓ ଜନ ସାଧାରଣ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼େରାବିଶ ଯୁବ ଓଡ଼ିଶା ସଭାପତି ପଦ୍ମନାଭ ଦାସ , ପୂର୍ବତନ ଜିଲା ପରିଷଦ ସନ୍ତୋଷ ଜେନା , ଯୁବ ସମାଜସେବୀ ବିଚିତ୍ର ପାଣି , କଳାବୁଦା ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ , ରାମଚନ୍ଦ୍ରପୁର ସରପଂଚ ନିର୍ମଳା ନାୟକ ବିଜ୍ଞାନରତ୍ନ ସୂତାର, ବଳରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମଂଟୁ ଛୁରିଆ ଓ ଟିମ୍ ଙ୍କ ସଙ୍ଗୀତ ନୃତ୍ୟରେ ମଂଚ ଦୁଲୁକି ଥିଲା । ଓରମାସ ତରଫରୁ ସ୍ୱଦେଶି ମେଳା ପ୍ରଦର୍ଶନୀରେ ୫୦ ରୁ ଅଧିକ ଷ୍ଟଲ ଲାଗିଛି । ଆତ୍ମ ନିର୍ଭର ଭାରତ କର୍ମଶାଳା ଲୋକାଲ ଫର ଭୋକାଲ ଆୟୋଜନ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ପରିଡ଼ା ସୂଚନା ଦେଇଥିଲେ । ଏହି ଯୁବ ମହୋତ୍ସବ ୫ ଦିନ ଧରି ଚାଲିବ ।
