କେନ୍ଦ୍ରାପଡ଼ା, ୦୮/୦୨/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳର ମହିପାଳ ସ୍ଥିତ କୁନ୍ତଳା କୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ କେନ୍ଦ୍ରାପଡା ଜିଲାରେ କଳାଶିକ୍ଷା ଦାନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଏବେ ଆରମ୍ଭ ହୋଇଛି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ପରେ ବିଦ୍ୟାଳୟ ତାର ପ୍ରଥମ ବାର୍ଷିକ ପରୀକ୍ଷା ଓଡିଶା ଲଳିତ କଳା ଏକାଡେମୀ ତତ୍ୱାବଧାନରେ ଅୟୋଜିତ କରିଛି । ଚଳିତ ବର୍ଷ ପ୍ରାଥମିକ ପରୀକ୍ଷାରେ ମୋଟ ୩୫ ଜଣ କୁନି କଳାକାର ଭାଗ ନେଇଛନ୍ତି । ରବିବାର ଠାରୁ କନିଷ୍ଠ ଭାଗ-୧, ଭାଗ-୨ ଓ ବରିଷ୍ଠ ଭାଗ-୧ ଓ ଭାଗ-୨ ପରୀକ୍ଷା ଅନୁଷ୍ଠିତ ହେବ ।
କେନ୍ଦ୍ରାପଡା ସହରରେ ଏପରି ପରୀକ୍ଷା କରି ପ୍ରମାଣପତ୍ର ଦେଉଥିବା ଏକମାତ୍ର ଅନୁଷ୍ଠାନ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା । ଦୀର୍ଘ ପାଂଚ ବର୍ଷ ଧରି ପିଲାମାନଙ୍କୁ କଳା ଶିକ୍ଷା ପ୍ରଦାନ କରି ଆସୁଥିବା ଏହି କଳା ଶିକ୍ଷା ଅନୁଷ୍ଠାନକୁ ଏ ବର୍ଷ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଲଳିତ କଳା ଏକାଡେମୀ ସ୍ୱୀକୃତି ପ୍ରଦାନ କରିଛି । ଏହି ଅନୁଷ୍ଠାନ ପିଲାମାନଙ୍କୁ କଳାଶିକ୍ଷା ଦେଇ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନ ଗୁରୁଜୀ ଅଶୋକ ନାୟକ କହିଛନ୍ତି ।
ଜିଲାର କଳା ଓ ସଂସ୍କୃତି କ୍ଷେତ୍ରରେ ଉନ୍ନତି ଓ ରାଜ୍ୟରେ ଏହାକୁ ପ୍ରାଧାନ୍ୟ ଦେବା ଉଦ୍ଧେଶ୍ୟରେ ସେ ଏହି କଳା ଶିକ୍ଷା ଅନୁଷ୍ଠାନ ଗଢିଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ଉପସ୍ଥିତ ଅଭିଭାବକ ମାନେ ବିଦ୍ୟାଳୟ ଓ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନର କେନ୍ଦ୍ରାପଡା ଯେପରି ସମଗ୍ର ରାଜ୍ୟ ଓ ଦେଶରେ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ସେ ନେଇ ଏହି ବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଦ୍ୟାଳୟର ମୁଖ୍ୟ ଜାତୀୟ ସ୍ତରୀୟ ଚିତ୍ରଶିଳ୍ପୀ ଅଶୋକ କୁମାର ନାୟକ ମତବ୍ୟକ୍ତ କରିଛନ୍ତି ।
