ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ର ସ୍ୱନକ୍ଷତ୍ର ଦିବସ ପାଳିତ

“ପରିବର୍ତ୍ତିତ ପରିସ୍ଥିତିରେ ହାତୀ ସଂରକ୍ଷଣ ଆହ୍ୱାନପୂର୍ଣ୍ଣ” ଶୀର୍ଷକ କର୍ମଶାଳା ଆୟୋଜିତ

ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖୁ : ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ଭୁବନେଶ୍ୱର, ୧୨/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖୁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ଵାନ ଦେଇଛନ୍ତି ।

ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ “ପରିବର୍ତ୍ତିତ ପରିସ୍ଥିତିରେ ହାତୀ ସଂରକ୍ଷଣ ଆହ୍ୱାନପୂର୍ଣ୍ଣ” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଯୋଗଦେଇ କହିଲେ ଯେ ହାତୀଙ୍କ ସୁରକ୍ଷା, ନିରାପତ୍ତା ଓ ସଂରକ୍ଷଣ ନିମିତ୍ତ ବନ ବିଭାଗକୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା। ବନ୍ୟପ୍ରାଣୀ ବିଶେଷ କରି ହାତୀ ଓ ମଣିଷ ଦୀର୍ଘ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ରହିଆସୁଥିଲେ । ଅତୀତରେ ହାତୀପଲ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ଅମଳ ସମୟରେ କାଁ ଭାଁ ଆସି ଶସ୍ୟ ଖାଇ ବଣକୁ ଚାଲିଯାଉଥିଲେ । କିନ୍ତୁ ଆଜି ସ୍ଥିତି ବଦଳିଯାଇଛି । ସମୟକ୍ରମେ ବଢୁଥିବା ଜନସଂଖ୍ୟାର ବିପୁଳ ଆବଶ୍ୟକତା ଥିବାରୁ ବନ୍ୟଜନ୍ତୁଙ୍କ ବାସସ୍ଥାନ ସମେତ ଜଙ୍ଗଲ ସମ୍ପଦର ଚାହିଦା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଫଳରେ ଖାଦ୍ୟ, ଜଳ ଓ ବାସସ୍ଥାନ ପାଇଁ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ହାତୀ-ମଣିଷ ସଂଘର୍ଷରେ ପରିଣତ ହୋଇ ଏକ ବିପଦ ପାଲଟିଛି। ଜନବ୍ୟବହୃତ ଅଞ୍ଚଳକୁ ହାତୀଙ୍କ ଘନ ଘନ ଅନୁପ୍ରବେଶ ଓ ଲୋକମାନଙ୍କର କ୍ରୁର ପ୍ରତିରୋଧ ଯୋଗୁ ମଣିଷ-ହାତୀ ବିବାଦ ଓ ଏ ସମ୍ପର୍କିତ କ୍ଷୟକ୍ଷତି ଦିନକୁ ଦିନ ବୃଦ୍ଧି ପାଇବା ସହିତ ଉଭୟ ମଣିଷ ଓ ହାତୀ ବହୁ ସଂଖ୍ୟାରେ ମୃତାହତ ହେଉଛନ୍ତି । ବିଗତ ୧୨ ବର୍ଷରେ ରାଜ୍ୟରେ ୧ ହଜାରରୁ ଅଧିକ ହାତୀ ମରିଛନ୍ତି ଓ ହାତୀ ୧୫ ଶହରୁ ଅଧିକ ମଣିଷଙ୍କ ଜୀବନ ନେଇଛନ୍ତି । ଫସଲ ଓ ଘର କ୍ଷୟକ୍ଷତି ମଧ୍ୟ ଅନେକ ଗୁଣ ବୃଦ୍ଧି ପାଇଛି । ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ହାତୀ ପ୍ରତି ଘୃଣା ମନୋଭାବ ପୋଷଣ କରୁଛନ୍ତି । ଫଳରେ ହାତୀଙ୍କ ସଂରକ୍ଷଣ ବିପଦରେ ପଡ଼ିଛି। ପୂର୍ବର ଶାନ୍ତ, ସ୍ୱାଭାବିକ ଓ ସନ୍ତୁଳିତ ସହବସ୍ଥାନରେ ତିକ୍ତତା ସୃଷ୍ଟି ହୋଇ ଏକ ଅଭାବନୀୟ, ଅପ୍ରୀତିକର ଓ ଅସହନୀୟ ସ୍ଥିତି ଆଡ଼କୁ ଅଗ୍ରସର ହେବା ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ଓ ଉଦ୍‌ବେଗଜନକ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବିଗ୍ନ ଓ ଚିନ୍ତିତ । ହାତୀ ଜଙ୍ଗଲ ଓ ଜୈବବିବିଧତାର ସଂରକ୍ଷଣ ପାଇଁ ଜରୁରୀ । ତେଣୁ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ରାଜ୍ୟ ପାଇଁ ଗମ୍ଭୀର ଚିନ୍ତାର ବିଷୟ। ସାଂପ୍ରତିକ ପରିସ୍ଥିତିରେ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଉଦ୍ୟମରେ ଗତ ୧୨ବର୍ଷ ଧରି ତୃଣମୂଳସ୍ତରରେ ସ୍ଥାନୀୟ ଜନସାଧାରଣ ଓ କ୍ଷେତ୍ରୀୟ ବନ କର୍ମଚାରୀମାନଙ୍କ ସହିତ ମିଳିମିଶି ହାତୀ ସୁରକ୍ଷା ଓ ଜନଧନ ରକ୍ଷା ପାଇଁ ସମ୍ମିଳିତ ପ୍ରଚେଷ୍ଟା ପ୍ରଶଂସନୀୟ । ଆମ ରାଜ୍ୟ ଓଡ଼ିଶା ସହିତ ଏହାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କେତେକ ଅଂଚଳରେ ଏହି ପ୍ରୟାସ ଜାରି ରହି ଥିବାରୁ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଧନ୍ୟବାଦର ପାତ୍ର । ପ୍ରତିବର୍ଷ ଏହି ସଂସ୍ଥା ହାତୀ ସମସ୍ୟାର ସ୍ଥିତି ଓ ସମାଧାନ ପାଇଁ ଏକ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଆୟୋଜନ କରିବା ମଧ୍ୟ ଅତ୍ୟନ୍ତ ଉପଯୋଗୀ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମତପ୍ରକାଶ କରିଥିଲେ ।

ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରାମାଣିକ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ମ୍ୟାନେଜିଙ୍ଗ ଟ୍ରଷ୍ଟି ଜିତଶତ୍ରୁ ମହାନ୍ତି ପ୍ରାମାଣିକ ଚଳଚିତ୍ର ଉପରେ ସୂଚନା ଦେଇଥିଲେ ।

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମୁଖ୍ୟ ବନ ସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ଡ ମନୋଜ ଭି ନାୟାରଙ୍କୁ ମଣିଷ-ହାତୀ ସଂଘର୍ଷ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ବଣାଇ ବନ ଡିଭିଜନର ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ରଙ୍କୁ ପରିବେଶ ସନ୍ତୁଳନ ଓ ହାତୀ ଖାଦ୍ୟ ବୃଦ୍ଧି କ୍ଷେତ୍ରରେ ପ୍ରଶଂସନୀୟ ଭୂମିକା ପାଇଁ ସେଭ ଏଲିଫାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପୁରସ୍କାର -୨୦୨୪ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ଗତବର୍ଷ ଜନସାଧାରଣଙ୍କୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ପ୍ରାଣବଳି  ଦେଇଥିବା କଳାହାଣ୍ଡିର ନର୍ଲା ରେଞ୍ଜ ଅଫିସର ସ୍ୱର୍ଗତ ପ୍ରଶାନ୍ତ ପାଳଙ୍କୁମରଣୋତ୍ତର ପୁରସ୍କାର ସହିତ ତିରିଶ ହଜାର ଟଙ୍କାର ଅର୍ଥରାଶି ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା । ଅନୁଗୁଳ ବନ ଡିଭିଜନର ରେଞ୍ଜ ଅଧିକାରୀ ଶୁଭ୍ରା ସୂଚିସ୍ମିତା ମହାପାତ୍ର, ଆଠଗଡ ବନ ଡିଭିଜନର ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ, ରାଇରଙ୍ଗପୁର ବନ ଡିଭିଜନର ଫରେଷ୍ଟ ଗାର୍ଡ ଶୁଭସ୍ମୀତା ଗିରି, ବଣାଇ ବନ ଡିଭିଜନର ଫରେଷ୍ଟ ଗାର୍ଡ ସସ୍ମୀତା ମହାକୁଲ, ରାୟଗଡା ବନ ଡିଭିଜନର ଗଜ ସାଥୀ ଦାଉଦ ଶବର, ବାରିପଦା ଡିଭିଜନର ହାତୀ ସାଥି ହିମାଂଶୁ ମହାନ୍ତଙ୍କୁ  ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ସେଭ ଏଲିଫାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପୁରସ୍କାର -୨୦୨୪ରେ ସମ୍ମାନିତ କରିଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବହୁଦିନର ଓ ବହୁବିଧ କାରଣ ଯୋଗୁଁ ମଣିଷ-ହାତୀ ସଂଘର୍ଷ ଦେଖାଦେଇଛି । ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ପ୍ରକୃତ ଭାବନାରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ପାଇଁ ଏକ ସମନ୍ୱିତ ଏବଂ ସମ୍ମିଳିତ ପ୍ରୟାସ ଲୋଡା । ସ୍ଥାନୀୟ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଓ ସହଭାଗିତା ଏଥିପାଇଁ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ବିଶ୍ୱାଳ ମତବ୍ୟକ୍ତ କରିଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ କୁମାର ଝା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ମଣିଷ-ହାତୀ ସଂଘର୍ଷ ହ୍ରାସ କ୍ଷେତ୍ରରେ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନର ଅବଦାନ ପ୍ରଶଂସନୀୟ।

ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଓଡ଼ିଶା ଲୋକାୟୁକ୍ତର ପ୍ରାକ୍ତନ ସଦସ୍ୟ ଡ ଦେବବ୍ରତ ସ୍ଵାଇଁ ସ୍ଵାଗତ ଭାଷଣ ଦେଇ କହିଲେ ଯେ, ହାତୀ ସଂରକ୍ଷଣ ଓ ମାନବ- ହାତୀ ସଂଘର୍ଷ ନିବାରଣ ପ୍ରକ୍ରିୟାରେ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଦୀର୍ଘ ୧୨ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଛି । ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

-0-

ମାନସ ରଞ୍ଜନ ଖୁଣ୍ଟିଆ,ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *