ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଶିଶୁ,ମହିଳାଙ୍କ ସ୍ୱାସ୍ଥ୍ୟ ସବୁଠୁ ଜରୁରୀ
ପ୍ରତ୍ୟେକ ସ୍ତରରେ ଉତମ ତଦାରଖ ଲୋଡ଼ା
ଆବଶ୍ୟକସ୍ଥଳେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି କିଣିବାକୁ ଦେଲେ ନିର୍ଦେଶ
ଭୁବନେଶ୍ୱର,୧୬/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
ଚରଣ ମାଝୀ ଶନିବାର ଲୋକ ସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍-ହୋମ୍-ରାସନ୍ ଯୋଜନାରେ ଦିଆଯାଉଥିବା ଖାଦ୍ୟ ବିଶେଷ କରି ଛତୁଆ ଉତ୍ପାଦନ ଓ ବଂଟନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଉପଯୁକ୍ତ ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ଯୋଜନାରେ ମୋଟ ୪୩,୯୨,୭୦୦ ହିତାଧିକାରୀଙ୍କୁ ବିଭିନ୍ନ ପୁଷ୍ଟି ଯୋଜନା ଅଧୀନରେ ଟେକ୍-ହୋମ୍-ରାସନ୍ ରେ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଉଛି । ରାଜ୍ୟର ୫୪୬ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଛତୁଆ ଉତ୍ପାଦନ କରାଯାଇ ସେଗୁଡିକର ବଂଟନ କରାଯାଉଛି । ଅପପୁଷ୍ଟି ରୋକିବା ପାଇଁ ପରିପୂରକ ପୁଷ୍ଟି ଯୋଜନା (ଏସଏନପି), କିଶୋରୀ ବାଳିକାଙ୍କ ପୁଷ୍ଟି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଛତୁଆର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ୟାକେଜିଂ, ବଂଟନ ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ଯେ, ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟ ରାଜ୍ୟର ବିକାଶ ପାଇଁ ସବୁଠାରୁ ଅଧିକ ଜରୁରୀ । ତେଣୁ ଏହି ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ଉତମ ତଦାରଖ ଓ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ଯେପରି ମୁକାବିଲା କରିାରିବେ, ବିଭିନ୍ନ ପରିସ୍ଥିତିରେ ସେମାନଙ୍କ ମନୋବଳ ଯେପରି ଦୃଢ଼ ରହିବ ସେଥିପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ ଯେଉଁ ସବୁ ଜାଗାରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ, ସେସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଆବଶ୍ୟକସ୍ଥଳେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି କିଣିବା ପାଇଁ ବିଭାଗକୁ କହିଥିଲେ ।

Leave a Reply

Your email address will not be published. Required fields are marked *