କଳାହାଣ୍ଡିରେ “ବିକଶିତ ଭାରତ ଯୁବ ନେତୃତ୍ୱ ସଂବାଦ’

ଭବାନୀପାଟଣା,୧୮/୧୦/୨୦୨୬(ଓଡ଼ିଶା ସମାଚାର)-ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଓସ୍ୱାନ୍ ହଲ୍ଠାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ “ବିକଶିତ ଭାରତ ୟୁବ ନେତୃତ୍ୱ ସଂବାଦ’ ଏବଂ ଜିଲା ସ୍ତରୀୟ ଯୁବ ମହୋତ୍ସବ-୨୦୨୭ର ସଫଳ ଆୟୋଜନ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଜିଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦେଶକ୍ରମେ ଯୁବବର୍ଗଙ୍କ ସାଂସ୍କୃତିକ ପ୍ରତିଭାର ବିକାଶ ଓ ଭାରତର ବିବିଧ ପରମ୍ପରାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଉଛି । ଜିଲାର ସମସ୍ତ ୧୩ଟି ବ୍ଲକ୍ ଏବଂ ୪ଟି ପୌରାଂଚଳ (ଭବାନୀପାଟଣା ପୌରପାଳିକା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପରିଷଦ) ରେ ବ୍ଲକ୍/ପୌର ସ୍ତରୀୟ ଚୟନ ପ୍ରକ୍ରିୟା ଶେଷ କରାଯିବ । ଏହି ସ୍ତରରୁ ମନୋନୀତ ବିଜେତାମାନଙ୍କ ତାଲିକା ଆସନ୍ତା ଅକ୍ଟୋବର ୩୧, ୨୦୨୬ ସୁଦ୍ଧା ଜିଲା କ୍ରୀଡ଼ା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ ।

ଏହାପରେ ଆସନ୍ତା ନଭେମ୍ବର ୩ ଓ ୪, ୨୦୨୬ ରେ ଜିଲା ସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହେବ । ୧୭.୦୮.୨୦୨୬ ସୁଦ୍ଧା ୧୫ ରୁ ୨୯ ବର୍ଷ ବୟସର ସ୍କୁଲ, କଲେଜ, ଗ୍ରାମୀଣ ଯୁବ କ୍ଲବ, ଗଣ ଭାରତ ସ୍ୱେଚ୍ଛାସେବୀ ଓ ଏନଏସଏସ ର ଯୁବକ/ଯୁବତୀମାନେ ଓ ଅନ୍ୟାନ୍ୟ ଯୋଗ୍ୟ ଯୁବ ଗୋଷ୍ଠୀ ଭାଗ ନେଇପାରିବେ । ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଗଣ ଭାରତ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଚଳିତ ବର୍ଷର ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ରହିଛି “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ’ । ଏହି କାର୍ଯ୍ୟକ୍ରମରେ ଲୋକନୃତ୍ୟ, ଲୋକଗୀତ, ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ), ଚିତ୍ରାଙ୍କନ ଏବଂ କବିତା ଲିଖନ (ଓଡ଼ିଆ, ହିନ୍ଦୀ, ଇଂରାଜୀ) ଭଳି ବିଭିନ୍ନ ବିଭାଗରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବ୍ଲକ୍ ଓ ପୌରାଂଚଳ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ଜିଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିବେ ।

ଜିଲା ସ୍ତରୀୟ ଲୋକଗୀତ, ଲୋକନୃତ୍ୟ ଓ ନୁକ୍କଡ଼ ନାଟକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟୀଦଳ ମାନଙ୍କୁ ଯଥାକ୍ରମେ ୧୦୦୦୦, ୭୫୦୦ ଓ ୫୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗିମାନଙ୍କୁ ଯଥାକ୍ରମେ ୩୦୦୦, ୨୦୦୦ ଓ ୧୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ବୈଠକରେ ଆଭାସୀ ମାଧ୍ୟମରେ ଜିଲାର ସମସ୍ତ ବିଡିଓ, ତହସିଲଦାର, ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଓସ୍ୱାନ୍ ହଲ୍ ରେ ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଡେପୁଟୀ ରେଜିଷ୍ଟ୍ରାର,ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଜୟଦେବ ସାହୁ, ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ର ସହକାରୀ ଜିଲାପାଳ ପ୍ରିୟ ରଞ୍ଜନ ସେଠ,ଡି ଡବ୍ଲୁ ଓ ଜାନକୀ ବଲ୍ଲବ ସାମନ୍ତରାୟ, ଡି ପି ଇ ଓ ରୁପ ସିଂ ରାଉତ,ଏ ଡି ଇ ଓ ତପିମଣି ଜାନୀ, ମାଇ ଭାରତ ରୁ ଦୂତୀଆ ବନଛୋର ଏବଂ ଶାଶ୍ୱତ ରଞ୍ଜନ ଠାକୁର ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *