ଜମିବାଡି ବିବାଦରୁ ପଡୋଶୀଙ୍କୁ ହତ୍ୟା ଉଦ୍ୟମ

ଦୁଇ ଅଭିଯୁକ୍ତ ଗିରଫ, ବନ୍ଧୁକ, ଗୁଳି ଓ କାତି ଜବତ
କେନ୍ଦ୍ରାପଡ଼ା, ୧୮/୧୦/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ଗ୍ରାମରେ ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ପଡ଼ୋଶୀ ପରିବାର ଉପରେ ସଶସ୍ତ୍ର ଆକ୍ରମଣ ତଥା ହତ୍ୟା ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବେଆଇନ ମାରଣାସ୍ତ୍ରମାନ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ସୁଜାନଗର ଗ୍ରାମର ମଖନ ଖାଁଙ୍କ ପୁଅ ମଞ୍ଜୁର ଖାଁ ଓ ରମଜାନ ଖାଁ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁଜାନଗର ଗ୍ରାମର ମୀର୍ଜା ତାୟାରୁ ବେଗଙ୍କ ପରିବାର ସହିତ ଅଭିଯୁକ୍ତ ମଞ୍ଜୁର ଏବଂ ରମଜାନଙ୍କ ପରିବାର ସହିତ ଏକ ଜମିବାଡ଼ିକୁ କେନ୍ଦ୍ର କରି ଦୀର୍ଘ ଦିନରୁ ତିକ୍ତତା ଲାଗି ରହିଥିଲା ।

ବିବାଦର ସମାଧାନ ହେବା ପରିବର୍ତେ ଦିନକୁ ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଉତେଜନା ବଢ଼ିବାରେ ଲାଗିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଅଭିଯୁକ୍ତମାନେ ମୀର୍ଜା ତାୟାରୁ ବେଗଙ୍କ ପରିବାରକୁ ସମ୍ପୂର୍ଣ୍ଣ ସଫା କରିଦେବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସେମାନେ ଆଗୁଆ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଠୁଳ କରି ପ୍ରସ୍ତୁତ ହୋଇଥିଲେ । ପ୍ରାପ୍ତ ଖବର ଅନୁଯାୟୀ ଅଭିଯୁକ୍ତମାନେ ମାରଣାସ୍ତ୍ର ଧରି ପଡ଼ୋଶୀ ପରିବାର ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏ ନେଇ ଥାନାରେ ସୂଚନା ଦିଆଯାଇଥିଲା । ଅଭିଯୋଗ ପାଇବା କ୍ଷଣି କେନ୍ଦ୍ରାପଡ଼ା ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଚଢ଼ାଉ କରିଥିଲା । ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ଅପ୍ରୀତିକର ପରିସ୍ଥିତି ଟଳିଯାଇଛି । ଘଟଣାସ୍ଥଳରୁ ଉଭୟ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଏକ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ ଏବଂ ଏକ ଧାରୁଆ କାତି ଜବତ କରାଯାଇଛି । ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଗଚ୍ଚମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଉଦ୍ୟମ ଯୋଜନା କରାଯାଇଥିଲା ।

ଅଭିଯୋଗ ଆସିବା ମାତ୍ରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏ ନେଇ ମୀର୍ଜା ତାୟାରୁ ବେଗଙ୍କ ପତ୍ନୀ ଅମୀନା ବିବିଙ୍କ ଲିଖିତ ଅଭିଯୋଗ ଉପରେ ସଦର ଥାନାରେ କେଶ ନଂ- ୬୪୫/୨୦୨୬ରେ ହତ୍ୟା ଉଦ୍ୟମ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ୨୫ ଓ ୨୭ଆର୍ମସ ଆକ୍ଟ ଆର୍ମସ ଆକ୍ଟ ସହ ଭାରତୀୟ ନ୍ୟାୟ ସଂହିତାର ୩୩୧(୪), ୨୯୬,୩୦୪(୨), ୩୫୧(୨), ୩୫୧(୩), ୭୪,୧୧୫(୨), ୩(୫) ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ଏହି ବନ୍ଧୁକ ଓ ଗୁଳି କେଉଁଠାରୁ ଏବଂ କାହା ଜରିଆରେ ସଂଗ୍ରହ କରିଥିଲେ ତାର ଚେର ଖୋଜିବା ପାଇଁ ପୋଲିସ ପଚରାଉଚରା ଜାରି ରଖିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ସୁଜାନଗର ଗ୍ରାମରେ ଶାନ୍ତିଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ମୁତୟନ ହୋଇଛି । ଆଜି ଉଭୟ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *