ଡକାୟତି ଉଦ୍ୟମ ବିଫଳ , ୩ ଗିରଫ

ରାଉରକେଲା ୧୮/୧୦/୨୦୨୬(ଓଡ଼ିଶା ସମାଚାର)- ସେକ୍ଟର-୭ ଥାନା ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପୋଲିସ ସେକ୍ଟର-୬ ସ୍ଥିତ ଏକତା କ୍ଲବ ପଡ଼ିଆରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ।

ପୁଲିସ ସୂଚନା ଅନୁଯାୟୀ, ୧୪ ଅକ୍ଟୋବର ୨୦୨୬ ରାତିରେ ସେକ୍ଟର-୭ ଥାନାର ଏସ୍‌ଆଇ ଏଲ୍‌. ହେମ୍ବ୍ରମ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବିଶ୍ୱସନୀୟ ସୂଚନା ଆଧାରରେ ସେକ୍ଟର-୬ ସ୍ଥିତ ଏକତା କ୍ଲବ୍‌ ପଡ଼ିଆରେ ଏକ ତେନ୍ତୁଳି ଗଛ ତଳେ କିଛି ବ୍ୟକ୍ତି ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ଜାଣିବାକୁ ପାଇଥିଲେ। ସେମାନେ ସେକ୍ଟର-୭ ଥାନା ଅଞ୍ଚଳର ବିଭିନ୍ନ ଘରେ ଡକାୟତି କରିବା ଯୋଜନା କରୁଥିବା ସନ୍ଦେହରେ ପୁଲିସ ତୁରନ୍ତ ଚଢ଼ାଉ କରିଥିଲା।

ଏହି ଚଢ଼ାଉରେ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପୁଲିସର ତତ୍ପରତା ଯୋଗୁଁ ଏକ ସମ୍ଭାବ୍ୟ ଡକାୟତି ଘଟଣାକୁ ରୋକାଯାଇପାରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧୭ ପାର୍କ ବସ୍ତିର ଗୁଲସନ କୁମ୍ଭାରଙ୍କ ପୁଅ ରାହୁଲ କୁମ୍ଭାର (୨୪), ସେକ୍ଟର-୧୭ ଲକ୍ଷ୍ମୀପଲ୍ଲୀ ମାର୍କେଟ୍‌ ଗଳିର ସ୍ୱର୍ଗତ ନାରାୟଣ ହରିପାଲଙ୍କ ପୁଅ ଆକାଶ ହରିପାଲ (୩୦) ଏବଂ ସେକ୍ଟର-୧୫, କ୍ୱାର୍ଟର ନମ୍ବର H-356ର ମହମ୍ମଦ ଫାରୁକଙ୍କ ପୁଅ ମହମ୍ମଦ ସଫି ଓରଫ୍‌ ବିଲା (୨୮)।

ଏହି ମାମଲାରେ ସେକ୍ଟର-୭ ଥାନା କେସ୍‌ ନମ୍ବର ୨୪୪, ତାରିଖ ୧୪.୧୦.୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୦(୪)/୩୧୦(୫) ସହ ଆର୍ମସ୍‌ ଆକ୍ଟର ଧାରା ୨୫(୧)(a) ଯୋଡ଼ାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟକୁ ପଠାଯାଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ପୁଲିସ ସୂଚନା ଅନୁଯାୟୀ, ରାହୁଲ କୁମ୍ଭାରଙ୍କ ନାମରେ ପୂର୍ବରୁ ସେକ୍ଟର-୧୫, ସେକ୍ଟର-୩ ଓ ସେକ୍ଟର-୭ ଥାନାରେ ଚୋରି ଏବଂ ଡକାୟତି ସମ୍ପର୍କିତ ମାମଲା ରହିଛି। ଆକାଶ ହରିପାଲଙ୍କ ନାମରେ ସେକ୍ଟର-୧୫, ସେକ୍ଟର-୩, ସେକ୍ଟର-୭, ସେକ୍ଟର-୧୯, ଝିରପାଣି ଓ ଛେଣ୍ଡ ଥାନା ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଉଲ୍ଲେଖ ରହିଛି। ସେହିପରି ମହମ୍ମଦ ସଫି ଓରଫ୍‌ ବିଲାଙ୍କ ନାମରେ ସେକ୍ଟର-୧୫ ଥାନାରେ ମଧ୍ୟ ଏକ ମାମଲା ରହିଛି।

ଏହି ମାମଲାର ତଦନ୍ତ ଦାୟିତ୍ୱରେ ସେକ୍ଟର-୭ ଥାନାର ଏସ୍‌ଆଇ ଏଚ୍‌.ଏସ୍‌. ନାଏକ ଅଛନ୍ତି।

Leave a Reply

Your email address will not be published. Required fields are marked *