ମହମ୍ମଦ ମୋକିମଙ୍କ ନୂଆ ଆଂଚଳିକ ଦଳକୁ କୃଷକ ନେତାମାନଙ୍କର ସମର୍ଥନ

ଭୁବନେଶ୍ୱର,୦୬/୦୨/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ ୟୁନିଟ୍-୧ସ୍ଥିତ କସ୍ତୁରବା ନାରୀମହଲଠାରେ ଓଡ଼ିଶାର ଛାମୁଆ କୃଷକନେତା ମାନଙ୍କୁ ନେଇ ଏକ ସଭା ଓ ଆଲୋଚନା ଶିବିର ଅନୁଷ୍ଠିତ ହୋଇଅଛି । ଏହି ସଭାରେ ଓଡ଼ିଶାର ବିଭିନ୍ନ ଜିଲାରୁ ଶତାଧିକ କୃଷକ ନେତାମାନେ ଉପସ୍ଥିତ ଥିଲେ । ଉପସ୍ଥିତ କୃଷକନେତାମାନେ “ଚାଷୀ କୂଳର ଏକତା – ବଦଳାଇବୁ ଓଡ଼ିଶାର ବ୍ୟବସ୍ଥା” ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସମସ୍ତ କୃଷକ ନେତାମାନେ ଓଡ଼ିଶାରେ କୃଷି ଓ କୃଷକମାନଙ୍କ ଦୁରାବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସମାଧାନ ନିମନ୍ତେ “ଏକ ବିକଳ୍ପ ବ୍ୟବସ୍ଥା”ର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ତେବେ ରାଜ୍ୟରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଚାଷୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା ସ୍ଥଳେ ବରିଷ୍ଠ ନେତା ମହମ୍ମଦ ମୋକିମ ଭିନ୍ନଭିନ୍ନ କୃଷକ ଆନ୍ଦୋଳନ ସହ ଜଡ଼ିତ ରହି ଅନେକଥର ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏଥିପାଇଁ ଓଡ଼ିଶାର କୃଷକ ସଂଗଠନ ଗୁଡ଼ିକ ମୋକିମଙ୍କ ନୂଆ ଆଂଚଳିକ ଦଳକୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ ।

କୃଷକ ନେତା ଶୁଭେନ୍ଦୁ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଆମନ୍ତ୍ରିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚାଷୀମାନଙ୍କ ଦାବି ହାସଲ ନିମନ୍ତେ ସମଗ୍ର ଚାଷୀକୂଳକୁ ଏକତି୍ରତ ହୋଇ ଲଢେଇ କରିବା ପାଇଁ ଶ୍ରୀଯୁକ୍ତ ମୋକିମ୍ ଆହ୍ୱାନ କରିଥିଲେ । ଓଡ଼ିଶାର ମାଟି, ପାଣିପାଗ ଚାଷ ପାଇଁ ଏତେ ଉପଯୁକ୍ତ ହୋଇ ମଧ୍ୟ ଆମେ ପନିପରିବା, ମାଛ, ଅଣ୍ଡା, ଫୁଲ ଠାରୁ ନେଇ ସମସ୍ତ କୃଷିଜାତ ଦ୍ରବ୍ୟ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ବୋଲି ସେ ପ୍ରଶ୍ନ କରିଥିଲେ । ଏଥିପାଇଁ ଭିତିଭୂମିର ଅଭାବ, ମଣ୍ଡିର ଅବ୍ୟବସ୍ଥା, କଟନି ଛଟନି, ଚାଷୀର ଖର୍ଚ୍ଚଠାରୁ କମ୍ ଏମ୍.ଏସ୍.ପି., ଭାଗଚାଷୀ ଆଇନରେ ବିଭ୍ରାଟ ଓ ସରକାରୀ ମନୋଭାବର ଅଭାବକୁ ସେ ଦାୟୀ କରିଥିଲେ । ଓଡ଼ିଶାରେ କୃଷକମାନଙ୍କୁ ଏକତି୍ରତ କରି ରାଜ୍ୟକୁ ଏକ କୃଷି ସମୃଦ୍ଧ ରାଜ୍ୟ ଭାବେ ଗଢିତୋଳିବା ତାଙ୍କର ନୂଆ ଆଂଚଳିକ ଦଳର ପ୍ରଥମ ଲକ୍ଷ୍ୟ ହେବ ବୋଲି ସେ ପ୍ରକାଶ କରିଥିଲେ ।

ଏହି ସଭାରେ ଅନ୍ୟତମ ଅତିଥି ଭାବେ କୃଷକ ନେତା ସଂଗ୍ରାମୀ କିଶୋର ମାଝୀ ଉପସ୍ଥିତ ରହି ୩୧୦୦ ଟଙ୍କା ଧାନର ମୂଲ୍ୟ ଚାଷୀ ନିକଟରେ ପହଂଚୁ ନାହିଁ ବୋଲି କହିଥିଲେ । ଚାଷୀନେତା ଦୁର୍ଗାଚରଣ ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯାଜପୁରର ରବୀନ୍ଦ୍ର ସାହୁ ବିପ୍ଳବୀ ଚାଷୀ ଗୀତ ଗାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ସୁବାଷ ପଣ୍ଡା, ସନାତନ ପ୍ରଧାନ, ଅର୍ଜୁନ ଜେନା, ଶରତ ଚନ୍ଦ୍ର ସାହୁ, ଶ୍ରୀନିବାସ ସାହୁ, ବିଭୂପ୍ରସାଦ ମହାପାତ୍ର, ଅଭିରାମ ରାଉତ, ଦେବେଶ ମହାପାତ୍ର, ସୁବାଷ ନାୟକ, ଜନ୍ମେଜୟ ମେକାପ, ଧ୍ରୁବଚରଣ ସାହୁ, ଉମେଶ ଚନ୍ଦ୍ର ଦାସ, ସୁଧାଂଶୁ ସେନାପତି ପ୍ରମୁଖ ଉପସ୍ଥିତ ରହି ମହମ୍ମଦ ମୋକିମଙ୍କ ନୂଆ ଆଂଚଳିକ ଦଳକୁ କୃଷକମାନେ ସମର୍ଥନ ଦେଉଛନ୍ତି ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *