— ୧୧ ଟି ରାଜସ୍ବ ସେବା ପାଇଁ “ଆମ ସାଥୀ” ଏକୀକୃତ ହ୍ଵାଟ୍ସଆପ୍ ବୋଟ ସେବାର ଶୁଭାରମ୍ଭ
ଯାଜପୁର, ୦୫/୦୨/୨୦୨୬ (ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ତହସିଲରେ ୫୭ଟି ନୂତନ ଉପନିବନ୍ଧକ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଯାଜପୁର ସମେତ ବିଭିନ୍ନ ଜିଲ୍ଲାର ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ରାଜସ୍ୱ ସେବା ଅଧିକାରୀମାନେ ଯୋଗ ଦେଇଥିଲେ। ଏହିକ୍ରମରେ ଯାଜପୁରର ରସୁଲପୁର ଏବଂ ଦାନଗଦି ତହସିଲରେ ନୂତନ ଉପନିବନ୍ଧକ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।
ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ଉପନିବନ୍ଧକ ହରପ୍ରିୟା ପୃଷ୍ଟି ଏବଂ ଜିଲ୍ଲାର ରାଜସ୍ବ ସେବା ଅଧିକାରୀମାନେ ଆଭାସି ବୈଠକରେ ଉପସ୍ଥିତ ଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୧ ଟି ନାଗରିକ କୈନ୍ଦ୍ରିକ ରାଜସ୍ବ ସେବା ପାଇଁ “ଆମ ସାଥୀ” ଏକୀକୃତ ହ୍ଵାଟ୍ସଆପ୍ ବୋଟ ସେବାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଘରେ ବସି ଜନସାଧାରଣ ବିଭିନ୍ନ ସେବା ପାଇପାରିବେ। ଏଥିରେ ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଅଭିଭାବକ ସାର୍ଟିଫିକେଟ, ଉତ୍ତରାଧିକାରୀ ସାର୍ଟିଫିକେଟ ଇତ୍ୟାଦି ସେବା ଉପଲବ୍ଧ ଅଛି। ଏହି ଟେକ୍ନୋଲୋଜି ଚାଳିତ ଆପ୍ଲିକେସନ୍ ଦ୍ଵାରା ଲୋକେ ସଠିକ୍ ସମୟରେ ଫେସଲେସ, କ୍ୟାସଲେସ ସେବା ପାଇବେ ଏବଂ ବର୍ତ୍ତମାନ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟରେ ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବାରୁ ଦୁର୍ନୀତି ମଧ୍ୟ ଯଥେଷ୍ଟ ହ୍ରାସ ପାଇବ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ରାଜସ୍ବ ସେବାରେ ସଂସ୍କାର ମୂଳକ ପଦକ୍ଷେପ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ରାଜସ୍ବ ସେବାରେ ରୂପାନ୍ତରଣ ସମ୍ପର୍କିତ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପି ଅନ୍ୱେଷା ରେଡ୍ଡୀ, ଆଇଏଏସ ଧନ୍ୟବାଦ ଅର୍ପଣ କରିଥିଲେ।
