ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ, ଏଥିରେ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ ହେବ
ଜଗତସିଂହପୁର,୦୫/୦୨/୨୦୨୬ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍ରେ ୫୭ଟି ନୂଆ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଆଭାସି ମାଧ୍ୟମ ରେ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ତହସିଲ ରେ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା।
ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡୁଥିଲା। ମାତ୍ର ସମସ୍ତ ତହସିଲ୍ରେ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ଫଳରେ ଉଭୟ ତହସିଲ୍ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉତ୍ତମ ସମନ୍ବୟ ରଖି କାର୍ଯ୍ୟକରି ପାରିବେ ଏବଂ ରେଜିଷ୍ଟ୍ରେସନ ପରେ ମ୍ୟୁଟେସନ ପଟ୍ଟା ସହଜରେ ହେବା ସହିତ, ରେଜିଷ୍ଟ୍ରେସନ୍ କ୍ଷେତ୍ରରେ ପାରଦର୍ଶିତା ବଢିବ ଓ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଆଉ ରହିବ ନାହିଁ। 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ବ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା WhatsApp Chatbot ରେ ଆଉ ୧୧ଟି ପ୍ରମୁଖ ରାଜସ୍ବ ସେବାକୁ ସାମିଲ୍ କରିଥିଲେ। ଏଣିକି ଜନସାଧାରଣ WhatsApp ନଂ-୯୪୩୭୨୯୨୦୦୦ ନମ୍ବର ଜରିଆରେ ମ୍ୟୁଟେସନ କେସ୍, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜନଜାତି ପ୍ରମାଣ ପତ୍ର, ଓବିସି ପ୍ରମାଣପତ୍ର, ଏସ୍ଇବିସି ପ୍ରମାଣପତ୍ର, ଲିଗାଲ୍ହେୟାର ପ୍ରମାଣପତ୍ର, ଇନ୍କମ୍ ଆଣ୍ଡ ଆସେଟ୍ ପ୍ରମାଣପତ୍ର, ଗାଡିଆନ୍ସିପ୍ ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ବପୂର୍ଣ୍ଣ ସେବାକୁ ତହସିଲ୍ କାର୍ଯ୍ୟାଳୟକୁ ନଯାଇ WhatsApp ମାଧ୍ୟମରେ ଦରଖାସ୍ତ କରି WhatsApp ନମ୍ବରରେ ପାଇପାରିବେ।
ଆଭାସୀ ମାଧ୍ୟମରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ ଭି ସି ହଲ୍ ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ,ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ , ଡି ଏସ ଆର, ତଥା ରାଜସ୍ବ ବିଭାଗ ର କର୍ମକର୍ତ୍ତା ଯୋଗଦେଇଥିଲେ।
ସେହିପରି ବିରିଡ଼ି ବ୍ଳକ୍ ଓସ୍ୱାନ ରେ ବିଡ଼ିଓ ଶ୍ରୀମତୀ ଆୟୁଷୀ ପତି, ତହସିଲଦାର ପ୍ରୀଙ୍କିଲ ପର୍ବିନ୍ ପରିଡ଼ା, ବ୍ଳକ୍ ଚେୟାରମ୍ୟାନ, ପି ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।
