ଭୁବନେଶ୍ୱର, ୧୦/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ ରେ ଓଡିଶା ପାଇଁ ୬ ଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଅନୁମୋଦନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରୁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହିତ ଭିଡିଓ କନଫରେନ୍ସସିଂ ଜରିଆରେ ଆଲୋଚନା କରି ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଓଡ଼ିଶାର ବିକାଶଧାରାକୁ ଆହୁରି ଆଗକୁ ନେବ।
ଏହି ରେଳ ପ୍ରକଳ୍ପ ହେବା ଦ୍ୱାରା ବିଶେଷକରି କଳାହାଣ୍ଡି, ନବରଙ୍ଗପୁର, ମାଲ୍କାନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳ ବେଶ୍ ଉପକୃତ ହେବେ। ୧୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ପରିବହନ କ୍ଷେତ୍ରରେ ଓଡ଼ିଶାକୁ ନୂଆ ଦିଶା ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପ୍ରତି ଜିଲାକୁ ରେଳ ସଂଯୋଗୀକରଣ ନେଇ ଆଲୋଚନା ଚାଲିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଏହି ପ୍ରକଳ୍ପ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ମାଧ୍ୟମ ପାଲଟିବ। ଡବଲ ଇଞ୍ଜିନ ସରକାରରେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ଵାର୍ଥ ପୂରଣ ସହ ଓଡ଼ିଶାକୁ ପୂର୍ବୋଦୋୟ ବିକାଶର କେନ୍ଦ୍ର ଭାବେ ଗଢିତୋଳିବାର ସ୍ଵପ୍ନ ସାକାର ହେବ।