କଟକ ସଦର,୨୫/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ନେଇ କଟକ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ,ଯାହାଫଳରେ ଗଛ ଓ ବିଦ୍ୟୁତ ଖୁଣ୍ଟି ପଡ଼ିଯିବା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।
ଜରୁରୀକାଳୀନ ସ୍ଥିତିରେ ମୁକାବିଲା ପାଇଁ ଜିଲ୍ଲାରେ ପ୍ରାୟ ୩୦ ଟି ମାଇକ୍ରୋ ଟିମ୍ ଗଠନ କରାଯାଇଛି। ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଯଥା ଇନ୍ଫ୍ଲେଟେବଲ୍ ବୋଟ୍, ଆଉଟ୍ବୋର୍ଡ ମୋଟର୍, ଲାଇଫ୍ବୋଟ୍, ଲାଇଫ୍ ଜ୍ୟାକେଟ୍, ଉଚ୍ଚ କ୍ଷମତାସମ୍ପନ୍ନ ଜଳ ନିଷ୍କାସନ ପମ୍ପ, ହାଇଡ୍ରୋଲିକ୍ କଟର୍, ହାଇଡ୍ରୋଲିକ୍ ସ୍ପ୍ରେଡର୍, ପ୍ରାଥମିକ ଚିକିତ୍ସା କିଟ୍ ଏବଂ ସର୍ଚ୍ଚଲାଇଟ୍ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି।
ଟିମ୍ ଗୁଡ଼ିକୁ ପାୱାର ସ’, ଆସ୍କା ଲାଇଟ୍ ସମେତ ବିପର୍ଯ୍ୟୟ ମୁକାବିଲା ଉପକରଣ ଯୋଗାଇ ଦିଆଯାଇଛି। ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ଡି ୱ।ର୍ଟରିଂ ପମ୍ପ ମୁତୟନ କରାଯାଇଛି। ଆବଶ୍ୟକ ସ୍ଥଳରେ ଅତ୍ୟାଧୁନିକ ସରଞ୍ଜାମ ସହ ପହଞ୍ଚି ଟିମ୍ ସଦସ୍ୟ ଧନଜୀବନ ରକ୍ଷା କରିବେ ବୋଲି ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ ସୂଚନା ଦେଇଛନ୍ତି।
