ଦୁଇ ଦିନିଆ ଗୋବିନ୍ଦ ଦ୍ୱାଦଶୀ ମେଳା ଉଦଯାପିତ

ଗରଦପୁର,୧୪/୦୩/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡାରୀ ପଂଚାୟତର କୂଳତୁଠୀ ଗ୍ରାମରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ୬୫ତମ ଗୋବିନ୍ଦ ଦ୍ୱାଦଶୀ  ମେଳା ଉଦଯାପିତ ହୋଇଯାଇଛି । ପାରମ୍ପାରିକ ଗୁରୁପୂଜା, ଗୁରୁଭାଇ ସମ୍ମିଳନୀ କରାଯାଇ ଥିଲା । ଗୁରୁଭାଇମାନଙ୍କ ଦ୍ୱାରା ପାରମ୍ପାରିକ ବଣଭୋଜି କରାଯାଇ ସନ୍ଧ୍ୟାରେ ମହାମେଳା ଉଦଯାପିତ ହୋଇଯାଇଛି ।

ମହାମେଳା ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପବିତ୍ର ଚିତ୍ରୋତ୍ପଳା ନଦୀରେ ‘ଗୋବିନ୍ଦ ଦ୍ୱାଦଶୀ ବୁଡ’ ପକାଇବା ପରେ ମେଳାର ଘଟ ସ୍ଥାପନ,ଗୁରୁ ଅବଧୂତ କ୍ଷେତ୍ରମୋହନ ପରମହଂସଙ୍କ ସମାଧି ମନ୍ଦିରରେ ପୂଜାର୍ଚ୍ଚନା,ଗୀତା,ବିଷ୍ଣୁ ସହସ୍ର ନାମ ପାଠ, ଭଜନ ସମାରୋହ ଆଦି ଅନୁଷ୍ଠିତ କରାଯାଇଥିଲା । ସାନ୍ଧ୍ୟ ଅଧିବେଶନରେ ଢେଙ୍କାନାଳରୁ ଆସିଥିବା ବାବା ହରିହର ଦାସ ଭାଗବତ ପାଠ କରିଥିଲେ ।

ପୀଠର ମହନ୍ତ ପରିକ୍ଷିତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଗାୟକ ଉତମ ଚରଣ ସୂତାର, ନିମାଇଁ ଚରଣ ଦାସ, ହରଗୌରୀ ଆଶ୍ରମର ମଠାଧିଶ ବାବା ସତ୍ୟଭାନୁ ଓ ଦୀପକ୍ କୁମାର ସାହୁ ଭାଗବତ ପାଠ,ଗୀତା ଓ ଗୁରୁବାଦ ସମ୍ପର୍କରେ ତତ୍ୱଭିତିକ ଆଲୋଚନା କରିଥିଲେ । ଏହି ଗୋବିନ୍ଦ ଦ୍ୱାଦଶୀ ମେଳାରେ ଢେଙ୍କାନାଳ,ଯାଯପୁର, ଜଗତସିଂପୁର, କେନ୍ଦ୍ରାପଡା, ନୟାଗଡ,ଖୋର୍ଦ୍ଧା ଓ ରାଉରକେଲାରୁ ଶିଷ୍ୟ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୀଠର ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ,ସନ୍ଦିପ୍ କୁମାର ସାହୁ,ହିମାଂଶୁ ଶେଖର ବାରିକ, ଉଦୟନାଥ ମଲ୍ଲିକ ଓ ଭାଗୀରଥୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *