ଭୁବନେଶ୍ୱର,୨୫/୦୧/୨୦୨୬ (ଓଡ଼ିଶା ସମାଚାର)- ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୫୪ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଛି । ଲିଭର୍ ଜନିତ ସମସ୍ୟା ପରେ ସେ ଚିକିତ୍ସିତ ହେଉଥିଲେ। ଏମ୍ସରୁ ମରଶରୀରକୁ ତାଙ୍କ କଟକ ସ୍ଥିତ ଘରକୁ ନିଆଯାଇ ସେଠାରେ ଶେଷ ଦର୍ଶନ ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।
ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଓ ଆଲବମ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଅଭିଜିତ୍ ମଜୁମଦାର ଗୁରୁତର ଅସୁସ୍ଥତା କାରଣରୁ ଗତ ୪ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନ ଧରି ଆଇସିୟୁ ଓ ଭେଣ୍ଟିଲେଟରରେ ରହିଥିଲେ ଅଭିଜିତ୍ । ସେଠାରୁ ଧୀରେ ଧୀରେ ସୁସ୍ଥ ହେଉଥିଲେ, ଗତ ୧୦ ନଭେମ୍ବରରେ ତାଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।
ହେଲେ ୨୩ ଜାନୁଆରୀରେ ତାଙ୍କୁ ହଠାତ୍ ଜ୍ୱର ହେବା ସହିତ ନୂଆ ସଂକ୍ରମଣ ହେବାରୁ ରକ୍ତଚାପ ବହୁତ କମିଯାଇଥିଲା ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ ହୋଇଯାଇଥିଲା । ଆଜି ସକାଳ ୭ଟା ୪୩ମିନିଟରେ ଅଭିଜିତଙ୍କର ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା, ଏମ୍ସର ଡାକ୍ତରମାନେ ପ୍ରାୟ ଏକ ଘଣ୍ଟା ଧରି ଚେଷ୍ଟା କରିବା ସତ୍ୱେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଫଳରେ ସକାଳ ୯ଟା ୨ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
