ଫାଇଲେରିଆ ନିରାକରଣ ପାଇଁ ଦ୍ଵିତୀୟ ସମନ୍ୱୟ ବୈଠକ।

ଯାଜପୁର,୨୨/୦୧/୨୦୨୬ (ଓଡ଼ିଶା ସମାଚାର)-ଫାଇଲେରିଆ ରୋଗ ନିରାକରଣ ପାଇଁ ଦ୍ଵିତୀୟ ଜିଲ୍ଲା ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରାରମ୍ଭିକ ସ୍ବାଗତ ଭାଷଣ କରିଥିଲେ। ପରେ ଡ଼ା. ରଶ୍ମିରଞ୍ଜନ ସାହୁ ଏହି ବୈଠକର ଉଦ୍ଦେଶ୍ୟ ଏବଂ ଜିଲ୍ଲାରୁ ଫାଇଲେରିଆ ରୋଗ ନିରାକରଣ ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ ସମ୍ପାଦକ ଡ଼ା. ନିଶିଥ ରଞ୍ଜନ ପାଢ଼ୀ ପାୱାର ପଏଣ୍ଟ ଜରିଆରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାର ରସୁଲପୁର ବ୍ଲକରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଫେବୃୟାରୀ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ। ୨ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଏହି ଔଷଧ ସେବନରୁ ବାରଣ କରାଯାଇଛି।

ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ୬୬୬ ଜଣ ତାଲିମ ପ୍ରାପ୍ତ ଔଷଧ ସେବନକାରୀ ୬୬ ଜଣ ପରିଦର୍ଶକ ଏବଂ ୫ ଗୋଟି ତୁରନ୍ତ ସେବା ପ୍ରଦାନକାରୀ ଟିମ୍ ଙ୍କୁ ନିୟୋଜିତ କରାଯାଇଛି। ଡ଼ା. ଦାସ ଏହି ରୋଗର କାରଣ, ନିରାକରଣ ଏବଂ ଚିକିତ୍ସା ସମ୍ବନ୍ଧରେ ବିଶେଷ ଆଲୋକପାତ କରିଥିଲେ। ରସୁଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସମସ୍ତ ସରପଞ୍ଚମାନଙ୍କୁ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ସଚେତନ କରାଯାଇଛି। ଜିଲ୍ଲାପାଳ ଶ୍ରୀ କର ଏହି କାର୍ଯ୍ୟକ୍ରମକୁ ଯେପରି ସଫଳ ରୂପାୟନ ହେବ ସେଥିପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ, ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ବରିଷ୍ଠ ଅଧିକାରୀଗଣ ଅଂଶ ଗ୍ରହଣ କରି ସେମାନଙ୍କ ମତାମତ ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ବଳଦେବ ନନ୍ଦ, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *