ABPMJAYର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବେସରକାରୀ ହସ୍ପିଟାଲ ପ୍ରତିନିଧିଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୩୦/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- “ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ ମେଡିକାଲ୍‌ ପରୀକ୍ଷା ଆୟୂଷ୍ମାନ କାର୍ଡରେ ହେବ । ଆଡମିଟ ହେବାର ୩ ଦିନ ପୂର୍ବରୁ ଟେଷ୍ଟ ହେଲେ ତାହା ଆୟୂଷ୍ମାନ ପ୍ୟାକେଜରୁ ବହନ କରାଯିବ । ଗାଇଡ୍‌ଲାଇନ୍‌ ଅମାନ୍ୟ କଲେ ସମ୍ପୃକ୍ତ ହସ୍ପିଟାଲ୍‌ ବିରୋଧରେ ଆକ୍ସନ ନିଆଯିବ” ବୋଲି କହିଛନ୍ତି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ । ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବୈଠକରେ ଉପସ୍ଥିତ ସମସ୍ତ ବେସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଡ଼. ମହାଲିଙ୍ଗ ।

ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କୁ ଭଲ ବ୍ୟବହାର ଓ ଆତିଥ୍ୟ ପ୍ରଦାନ ପୂର୍ବକ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସମସ୍ତ ବେସରକାରୀ ହସ୍ପିଟାଲଗୁଡିକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି । ମେଡିକାଲକୁ ଆସୁଥିବା ଅଧିକ ପ୍ରତିଶତ ଲୋକ ଆୟୁଷ୍ମାନ ଯୋଜନା ହିତାଧିକାରୀ । ସେମାନଙ୍କ ସୁବିଧା ପାଇଁ ହେଲ୍ପ ଡେସ୍କ କରିବାକୁ ସମସ୍ତ ମେଡିକାଲକୁ କହିଥିଲେ । ସାହାଯ୍ୟପୂର୍ଣ୍ଣ ପରିବେଶରେ ଚିକିତ୍ସା ପାଇଲେ ହସ୍ପିଟାଲର ସୁନାମ ବଢିବ । ବୈଠକରେ ଯୋଜନା ଅଧୀନରେ ରୋଗୀମାନଙ୍କୁ ଗୁଣାତ୍ମକ ଏବଂ କ୍ୟାଶଲେସ୍ ଚିକିତ୍ସା ସେବା ନିଶ୍ଚିତ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ  ଯୋଜନା ମାଧ୍ୟମରେ ରାଜ୍ୟର କୋଟି କୋଟି ଲୋକ ଉପକୃତ ହେଉଛନ୍ତି । ତେଣୁ ଯୋଜନାର ସଫଳତା ପାଇଁ ହସ୍ପିଟାଲମାନଙ୍କ ସହଯୋଗ ଅତ୍ୟାବଶ୍ୟକ । ଯୋଜନା ଅଧୀନରେ ଚିକିତ୍ସା ପାଇଁ ଆସୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ସମ୍ମାନଜନକ ଓ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସେ ସମସ୍ତ ହସ୍ପିଟାଲକୁ ଆହ୍ୱାନ କରିଛନ୍ତି ।

ବେସରକାରୀ ହସ୍ପିଟାଲ ପ୍ରତିନିଧିମାନେ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ବିଭିନ୍ନ ଅଭିଜ୍ଞତା, ସମସ୍ୟା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ସେ ଦିଗଗୁଡିକ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଅଶ୍ଵତୀ ଏସ. , ଜାତୀୟ ସ୍ୱାସ୍ଥ୍ୟ ମିସନ ଏମ ଡି ଡ଼. ବୃନ୍ଦା ଡ଼ି, ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *